ଭୁବନେଶ୍ୱର: ଭାରତୀୟ ସଙ୍ଗୀତ ଜଗତର ଜଣେ ଅନନ୍ୟ ପ୍ରତିଭା, ବିଶିଷ୍ଟ ଗାୟିକା ପଦ୍ମଭୂଷଣ ସୁମନ କଲ୍ୟାଣପୁରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ନିଜର ମଧୁର ସ୍ୱରରେ ହିନ୍ଦୀ, ମରାଠୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିଥିବା ଏହି କାଳଜୟୀ କଣ୍ଠଶିଳ୍ପୀଙ୍କ ବିୟୋଗରେ ସାରା ଦେଶ ସମେତ ଓଡ଼ିଶା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୫୪ ମସିହାରେ ‘ଶୁକ୍ରାଚୀ ଚାନ୍ଦନୀ’ ଏବଂ ‘ମାଙ୍ଗୁ’ ଭଳି ମରାଠୀ ସିନେମାରୁ ନିଜର ସାଙ୍ଗୀତିକ ଯାତ୍ରା ଆରମ୍ଭ କରିଥିଲେ ସୁମନ କଲ୍ୟାଣପୁର। ଏହାପରେ ସେ ୮୫୦ରୁ ଅଧିକ ଚଳଚ୍ଚିତ୍ରରେ ବିଭିନ୍ନ ଭାଷାରେ ଗୀତ ଗାଇଥିଲେ। ବିଶେଷ କରି ହିନ୍ଦୀ ସିନେମାରେ ତାଙ୍କ ଗାୟନ ଶୈଳୀ ସାରା ଭାରତରେ ସୁନାମ ଆଣିଦେଇଥିଲା।

ମହମ୍ମଦ ରଫିଙ୍କ ସହ ତାଙ୍କର ଦ୍ୱୈତ ସଙ୍ଗୀତ (Duets) ଗୁଡ଼ିକ ଆଜି ବି ସବୁ ପିଢ଼ିର ଶ୍ରୋତାଙ୍କ ମନରେ ସଜୀବ ରହିଛି। ତାଙ୍କ କଣ୍ଠରୁ ନିସୃତ କିଛି ସଦାବାହାର ହିନ୍ଦୀ ଗୀତ:“ଆଜକଲ୍ ତେରେ ମେରେ ପ୍ୟାର୍ କେ ଚର୍ଚ୍ଚେ”, “ନା ନା କର୍ତ୍ତେ ପ୍ୟାର୍”, “ନା ତୁମ୍ ହମେଁ ଜାନୋ”, “ଶରାବୀ ଶରାବୀ ୟେ ସାୱନ୍ କା ମୌସମ୍”,“ପର୍ବତୋଁ କେ ପେଡୋଁ ପର୍”

ଓଡ଼ିଆ ସିନେମା ସହ ଥିଲା ନିବିଡ଼ ସମ୍ପର୍କସୁମନ କଲ୍ୟାଣପୁର କେବଳ ହିନ୍ଦୀ ବା ମରାଠୀରେ ସୀମିତ ନଥିଲେ, ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ମଧ୍ୟ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର କେତେକ ମାଇଲଖୁଣ୍ଟ ସଦୃଶ ସିନେମାରେ ସେ କଣ୍ଠଦାନ କରିଥିଲେ, ଯେଉଁଥିରେ ସାମିଲ ରହିଛି: ଗପ ହେଲେ ବି ସତ,ଚିଲିକା ତୀରେ, ସମୟ ତାଙ୍କର ଆତ୍ମାଛୁଆଁ ଗାୟନ ଶୈଳୀ ଓଡ଼ିଆ ସଙ୍ଗୀତ ଜଗତକୁ ଏକ ଭିନ୍ନ ଉଚ୍ଚତାକୁ ନେଇଯାଇଥିଲା। ଭାଷାର ସୀମା ସରହଦ ଟପି ସବୁ ସୀମାକୁ ଆପଣେଇ ନେଇଥିବା ଏହି ମହାନ କଳାକାରଙ୍କ ବିୟୋଗରେ ଭାରତୀୟ ସଙ୍ଗୀତ ଏବଂ ଓଡ଼ିଆ ସିନେମା ଜଗତ ଜଣେ ଅପୂରଣୀୟ ପ୍ରତିଭାଙ୍କୁ ହରାଇଲା। ତାଙ୍କର ସ୍ୱର ସବୁଦିନ ପାଇଁ ଶ୍ରୋତାଙ୍କ ଗହଣରେ ଅମର ହୋଇ ରହିବ।