କିଭ୍: ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଏକ ନୂଆ ମୋଡ଼ ନେଇଛି। କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଚାଳିତ ‘ହର୍ନେଟ୍ ଡ୍ରୋନ୍’ ସାହାଯ୍ୟରେ ୟୁକ୍ରେନ ନିଜର ଆକ୍ରମଣକୁ ଜୋରଦାର କରିଛି। ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଯୋଗୁଁ ରୁଷ ବହୁ ସଂଖ୍ୟାରେ ସୈନ୍ୟ ହରାଉଥିବା ଦାବି କରାଯାଇଛି। ସାମରିକ ରିପୋର୍ଟ ଅନୁଯାୟୀ, ରୁଷ ଏବେ ଦୈନିକ ୧,୦୦୦ରୁ ଅଧିକ ସୈନ୍ୟ ହରାଉଛି। କେବଳ ଏପ୍ରିଲ ମାସରେ ୩୨,୯୮୦ ଏବଂ ମେ ମାସରେ ୨୮,୨୦୦ ରୁଷ ସୈନ୍ୟ ମାତହତ ହୋଇଛନ୍ତି।
ୟୁକ୍ରେନର ଏହି ହର୍ନେଟ୍ ଡ୍ରୋନଗୁଡ଼ିକରେ ଉନ୍ନତ ଟାର୍ଗେଟିଂ ସିଷ୍ଟମ ରହିଛି। ହଜାର ହଜାର ଘଣ୍ଟାର ସାମରିକ ଭିଡିଓ ମାଧ୍ୟମରେ ଏହି AI ସିଷ୍ଟମକୁ ପ୍ରଶିକ୍ଷିତ କରାଯାଇଛି। ‘ଷ୍ଟାରଲିଙ୍କ୍’ କନେକ୍ଟିଭିଟି ବ୍ୟବହାର କରି ଏହି ଡ୍ରୋନଗୁଡ଼ିକ ରୁଷ ସେନାର ଗାଡ଼ି ଓ ଯୋଗାଣ ବ୍ୟବସ୍ଥାକୁ ଟାର୍ଗେଟ୍ କରୁଛନ୍ତି। ବିଶେଷ କରି କ୍ରିମିଆ ସମେତ ଗୁରୁତ୍ୱପୂର୍ଣ୍ଣ ରୁଟ୍ଗୁଡ଼ିକରେ ଏହା ରୁଷ ସେନାର ଅଗ୍ରଗତିକୁ ରୋକିବାରେ ସଫଳ ହୋଇଛି।
ଏହି ଡ୍ରୋନଗୁଡ଼ିକୁ ଚଳାଇବା ପାଇଁ ମଣିଷର ବହୁତ କମ୍ ସହାୟତା ଆବଶ୍ୟକ ହେଉଛି। ଅପରେଟରମାନେ କେବଳ ଡ୍ରୋନକୁ ଟାର୍ଗେଟ୍ ଆଡ଼କୁ ପଠାଇ ଦିଅନ୍ତି, ଏହାପରେ AI ନିଜେ ନିୟନ୍ତ୍ରଣ ନେଇ ଶତ୍ରୁ ଉପରେ ସଠିକ୍ ଆକ୍ରମଣ କରେ। ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ମାଇଖାଇଲୋ ଫେଡୋରୋଭ କହିଛନ୍ତି ଯେ, ଶତ୍ରୁକୁ ଦୀର୍ଘ ସମୟ ଧରି ଆକ୍ରମଣ କରିବାର କ୍ଷମତାରୁ ବଞ୍ଚିତ କରିବା ଆମର ରଣନୀତି। ବିଶେଷଜ୍ଞଙ୍କ ମତରେ, ୨୦୨୨ ଶେଷ ଭାଗ ପରେ ପ୍ରଥମ ଥର ପାଇଁ ରୁଷ ସେନା ଯୁଦ୍ଧକ୍ଷେତ୍ରରେ ପଛକୁ ହଟିବାକୁ ବାଧ୍ୟ ହେଉଛି।




