ଜଗତସିଂହପୁର: ଓଡ଼ିଶା ପୁଲିସର ଧଳା ଜହର ବିରୋଧୀ ଅଭିଯାନରେ ଜଗତସିଂହପୁରରେ ଏକ ବଡ଼ ସଫଳତା ମିଳିଛି। ପୁଲିସ ୨୭୭.୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୧ ଲକ୍ଷ ୫୫ ହଜାର ଟଙ୍କା ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ଅନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଜଗତସିଂହପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଚଢ଼ାଉ କରିଥିଲା। ଏହି ଅଭିଯାନରେ ଯଶୋବନ୍ତପୁର ଅଞ୍ଚଳରେ ଚାଲୁଥିବା ଏକ ସଂଗଠିତ ବ୍ରାଉନସୁଗାର ରାକେଟ୍‌ର ପର୍ଦ୍ଦାଫାସ ହୋଇଥିଲା।

ତଦନ୍ତରେ ଜଣାପଡ଼ିଛି ଯେ, ତାରା ଶର୍ମା ନାମକ ଜଣେ ମହିଳା ଏହି ନିଶା କାରବାରର ମୁଖ୍ୟ ଅଭିଯୁକ୍ତ ଭାବେ କାମ କରୁଥିଲେ। ପୁଲିସ ତାଙ୍କ ସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ଗିରଫ କରିଛି।

ଅଭିଯୁକ୍ତମାନଙ୍କ ଠାରୁ ୨୭୭.୫ ଗ୍ରାମ ବ୍ରାଉନସୁଗାର, ଏକ କାର ଏବଂ ୫ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏମାନେ ପେଶାଦାର ନିଶା ବ୍ୟବସାୟୀ ଥିଲେ ଏବଂ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ସଂଗ୍ରହ କରୁଥିଲେ।

ପୁଲିସ ସୂଚନା ଅନୁସାରେ, ୧୦ ଗ୍ରାମ ବ୍ରାଉନସୁଗାର ପ୍ରାୟ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା। ଏହି ଚକ୍ର ସହ ଆଉ କିଏ କିଏ ଜଡିତ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି।