ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଶ ଓମାନ ସହ ଭାରତର ମୁକ୍ତ ବାଣିଜ୍ୟ ରାଜିନାମା (Free Trade Agreement-FTA) ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏହି ଚୁକ୍ତି ଭାରତୀୟ ରପ୍ତାନି କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।
ଏହି ରାଜିନାମା ମାଧ୍ୟମରେ ଭାରତର ବୟନ ଶିଳ୍ପ, ଚମଡ଼ା ସାମଗ୍ରୀ, ପ୍ଲାଷ୍ଟିକ୍, ସାମୁଦ୍ରିକ ଉତ୍ପାଦ, ଅଟୋମୋବାଇଲ୍, କ୍ରୀଡ଼ା ସାମଗ୍ରୀ ଓ କୃଷିଜାତ ଉତ୍ପାଦ ରପ୍ତାନିକାରୀମାନେ ସିଧାସଳଖ ଲାଭ ପାଇବେ। ଓମାନ ବଜାରରେ ଭାରତୀୟ ଉତ୍ପାଦକୁ ପ୍ରତିଦ୍ବନ୍ଦ୍ବୀ ଦେଶ ତୁଳନାରେ ଅଧିକ ସୁବିଧା ମିଳିବ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ୨୦୨୫ ଡିସେମ୍ବର ୧୮ ତାରିଖରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଯୋଗିତା ଚୁକ୍ତି (Comprehensive Economic Partnership Agreement) ସ୍ୱାକ୍ଷର ହୋଇଥିଲା। ପରବର୍ତ୍ତୀ ପ୍ରଶାସନିକ ଓ ବାଣିଜ୍ୟିକ ପ୍ରକ୍ରିୟା ସମାପ୍ତ ପରେ ୨୦୨୬ ଜୁନ୍ ୧ ଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି।
ଏହି ଅବସରରେ ମୁମ୍ବାଇ, କୋଲକାତା ଓ ଚେନ୍ନାଇ ବନ୍ଦରରୁ ୧୦ଟି ଜାହାଜ କୃଷିଜାତ ସାମଗ୍ରୀ ଓ ରତ୍ନ-ଗହଣା ନେଇ ଓମାନ ଅଭିମୁଖେ ଯାତ୍ରା କରିଛି।
ବାଣିଜ୍ୟ ମନ୍ତ୍ରଣାଳୟ ମତାନୁସାରେ, ଓମାନକୁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଭାରତର ବ୍ୟବସାୟ ବିସ୍ତାର ପାଇଁ ଏକ କୌଶଳଗତ ପ୍ରବେଶ ଦ୍ୱାର ଭାବେ ଦେଖାଯାଉଛି।
ତଥ୍ୟ ଅନୁସାରେ, ୨୦୨୪–୨୫ରେ ଭାରତ–ଓମାନ ଦ୍ୱିପାକ୍ଷିକ ବାଣିଜ୍ୟ ୧୦୬୧ କୋଟି ଡଲାର ଥିବାବେଳେ ୨୦୨୫–୨୬ରେ ଏହା ବୃଦ୍ଧି ପାଇ ୧୧୧୮ କୋଟି ଡଲାରରେ ପହଞ୍ଚିଛି। ଏହି ବୃଦ୍ଧି ଆଗାମୀ ଦିନରେ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।




