କୋରାପୁଟ: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ଦୀର୍ଘ ଦିନର କୋଟିଆ ସୀମା ବିବାଦ ପୁଣି ଥରେ ଉଗ୍ର ରୂପ ଧାରଣ କରିଛି। ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀମାନେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆର ବିବାଦୀୟ ଗ୍ରାମଗୁଡ଼ିକରେ ପଶି ଜୋରଜବରଦସ୍ତ ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ (SIR) ବା ଭୋଟର ତାଲିକା ସଂଶୋଧନ ସର୍ଭେ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଏକ ପ୍ରଶାସନିକ ଟିମ୍ କୋଟିଆର ଫାଟୁସିନେରୀ ଏବଂ ଫାଗୁନସିନେରୀ ଗ୍ରାମକୁ ଆସି ଘରକୁ ଘର ବୁଲି ଭୋଟରମାନଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ। ଓଡ଼ିଶା ପ୍ରଶାସନ ପକ୍ଷରୁ ଏହାକୁ ବାରମ୍ବାର ବିରୋଧ କରାଯାଇଥିଲେ ମଧ୍ୟ ଆନ୍ଧ୍ର ଅଧିକାରୀମାନେ ଏହାକୁ ଭ୍ରୂକ୍ଷେପ ନକରି ନିଜର କାର୍ଯ୍ୟ ଜାରି ରଖିଥିଲେ।
ବିବାଦ ବଢ଼ାଇବାକୁ ଆନ୍ଧ୍ରର ଚାଲ୍
ଗତ କିଛି ବର୍ଷ ହେବ ଓଡ଼ିଶା ସରକାର କୋଟିଆ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକୁ ବେଗବାନ କରିଥିବା ବେଳେ ଆନ୍ଧ୍ରପ୍ରଦେଶ ସେଠାକାର ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ଭୋଟର ସର୍ଭେ ମାଧ୍ୟମରେ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ନିକଟରେ ଓଡ଼ିଶା ପକ୍ଷରୁ କୋଟିଆରେ ଜନଗଣନା ସମ୍ପର୍କିତ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆନ୍ଧ୍ର ଅଧିକାରୀମାନେ ଏହାକୁ କାଉଣ୍ଟର କରିବାକୁ ଚେଷ୍ଟା କରିଥିଲେ ହେଁ ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନର ସତର୍କତା ଯୋଗୁଁ ସେମାନେ ସଫଳ ହୋଇପାରିନଥିଲେ। ତଥାପି, ଆନ୍ଧ୍ର ଟିମ୍ ଲୁଚାଛପାରେ ଏହି ଅଞ୍ଚଳ ଗସ୍ତ କରି ଏବେ ଏସଆଇଆର (SIR) ପ୍ରକ୍ରିୟା ଆରମ୍ଭ କରିଛି।
ଓଡ଼ିଶା ପକ୍ଷରୁ ମଧ୍ୟ ଜାରି ରହିଛି ସର୍ଭେ
ଅପରପକ୍ଷରେ, ଓଡ଼ିଶାର ପଟ୍ଟାଙ୍ଗୀ ପ୍ରଶାସନ ପକ୍ଷରୁ ମଧ୍ୟ କୋଟିଆ ପଞ୍ଚାୟତର ସମସ୍ତ ବୁଥ୍ରେ ସ୍ୱଚ୍ଛତା ଓ ସଠିକତା ରକ୍ଷା କରି ଭୋଟର ସୂଚୀ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହି ସର୍ଭେରେ ସ୍ଥାନୀୟ ଗ୍ରାମବାସୀମାନେ ଓଡ଼ିଶା ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଜଣାପଡ଼ିଛି।
ସୀମାରେ ୩ଟି ସ୍ଥାୟୀ ଚେକ୍ ଗେଟ୍ ନିର୍ମାଣ କରିବ ଓଡ଼ିଶା
ଆନ୍ଧ୍ରପ୍ରଦେଶର ଏଭଳି ବାରମ୍ବାର ଅନୁପ୍ରବେଶ ଏବଂ ହସ୍ତକ୍ଷେପକୁ ରୋକିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ସୀମାନ୍ତ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିବା ଏବଂ ବାହାର ଅନୁପ୍ରବେଶକୁ ରୋକିବା ପାଇଁ ୩ଟି ରଣନୀତିକ ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠାରେ ସ୍ଥାୟୀ ଚେକ୍ ଗେଟ୍ ନିର୍ମାଣ କରାଯିବ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆସନ୍ତା କିଛି ଦିନ ମଧ୍ୟରେ ଏହି ଚେକ୍ ଗେଟ୍ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।




