ଭୁବନେଶ୍ୱର: ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୫ରେ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୫ଟି ସମ୍ମାନଜନକ ପୁରସ୍କାର ହାସଲ କରିଛି। ରାଜ୍ୟର ଏହି ବଡ଼ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଅପାର ଆନନ୍ଦ ଓ ଗର୍ବ ପ୍ରକାଶ କରିବା ସହ ଏହାକୁ ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି ଅଭିହିତ କରିଛନ୍ତି।
ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ସମାରୋହରେ ଓଡ଼ିଶାର ଏହି କୃତିତ୍ୱକୁ ନେଇ ମୁଖ୍ୟମନ୍ତ୍ରୀ ନିଜର ଅଫିସିଆଲ୍ ଏକ୍ସ (ଟ୍ୱିଟର) ହ୍ୟାଣ୍ଡେଲରେ ଲେଖିଛନ୍ତି, “ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର-୨୦୨୫ରେ ଓଡ଼ିଶା ୫ଟି ଜାତୀୟ ପୁରସ୍କାର ପାଇବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାକୁ ୩ଟି ପୁରସ୍କାର ମିଳିଥିବା ବେଳେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଗୋଟିଏ ଲେଖାଏଁ ପୁରସ୍କାର ମିଳିଛି। ତୃଣମୂଳ ସ୍ତରରେ ସାମୂହିକ ଭାଗିଦାରୀ, ସୁଶାସନ ଏବଂ ନିରନ୍ତର ସେବା ମନୋଭାବର ପ୍ରତିଫଳନ ସ୍ୱରୂପ ମିଳିଥିବା ଏହି ସଫଳତା, ଆମକୁ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଆହୁରି ଅନୁପ୍ରାଣିତ କରିବ।”
ମୁଖ୍ୟମନ୍ତ୍ରୀ ଏହି ପ୍ରଶଂସନୀୟ ସଫଳତା ପାଇଁ ପୁରସ୍କାର ପ୍ରାପ୍ତ ସମସ୍ତ ଜିଲ୍ଲା ପ୍ରଶାସନ, ଅଧିକାରୀ, ଜନପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ସଫଳତାର ଏହି ଧାରା ଆହୁରି ବ୍ୟାପକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ତୃଣମୂଳ ସ୍ତରରେ ଉତ୍ତମ ଶାସନ, ସେବା ପ୍ରଦାନ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାର ଏହି ଦମଦାର ପ୍ରଦର୍ଶନ, ବିଶେଷ କରି ଗଞ୍ଜାମ ଜିଲ୍ଲାର ତିନୋଟି ପୁରସ୍କାର, ରାଜ୍ୟରେ ପଞ୍ଚାୟତରାଜ ବ୍ୟବସ୍ଥାର ସଫଳତାକୁ ଦର୍ଶାଉଛି।




