ନୂଆଦିଲ୍ଲୀ:

ବିଶ୍ୱର ସବୁଠୁ ଅଧିକ ଚର୍ଚ୍ଚିତ ଏବଂ ଉନ୍ନତ ସାଇବର ସୁରକ୍ଷା-କେନ୍ଦ୍ରିକ ଏଆଇ ମଡେଲ୍ କ୍ଲାଉଡ୍‌ ମିଥୋସ୍‌ (Claude Mythos Preview) ବ୍ୟବହାର ପାଇଁ ଭାରତକୁ ସୀମିତ ଅନୁମତି ମିଳିଥିବା ଖବର ସାମ୍ନାକୁ ଆସିଛି। ଏହି ଏଆଇ ମଡେଲ୍‌କୁ ବିକଶିତ କରିଛି  Anthropic ଏବଂ ଏହାକୁ ତାଙ୍କର ବିଶେଷ ସାଇବର ସୁରକ୍ଷା ପଦକ୍ଷେପ Project Glasswing ଅଧୀନରେ ବାଛାଯାଇଥିବା ସଂସ୍ଥାମାନଙ୍କୁ ଦିଆଯାଉଛି।  

ଏହି ବ୍ୟବସ୍ଥା ଅନୁଯାୟୀ, ଭାରତର ସରକାରୀ ଏବଂ ବେସରକାରୀ ସଂସ୍ଥାମାନେ ବିଶେଷକରି ସାଇବର ସୁରକ୍ଷା, ଆର୍ଥିକ ସେବା ଓ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍‌ ଭିତ୍ତିଭୂମି ସୁରକ୍ଷା ପାଇଁ ଏହି ପ୍ରଯୁକ୍ତିର ଉପଯୋଗ କରିପାରିବେ।  

ଆନ୍ଥ୍ରୋପିକ୍ ପୂର୍ବରୁ କେବଳ ପ୍ରାୟ ୫୦ଟି ସଂସ୍ଥାକୁ ଏହି ପ୍ରକଳ୍ପରେ ସାମିଲ କରିଥିଲା। ସେଥିରେ ବଡ଼ ପ୍ରଯୁକ୍ତି ସଂସ୍ଥାମାନଙ୍କ ସହ କିଛି ସାଇବର ସୁରକ୍ଷା ସଂଗଠନ ମଧ୍ୟ ଥିଲେ। ବର୍ତ୍ତମାନ ଏହାକୁ ୧୫ରୁ ଅଧିକ ଦେଶ ଓ ପ୍ରାୟ ୨୦୦ ସହଯୋଗୀ ସଂସ୍ଥା ପର୍ଯ୍ୟନ୍ତ ବିସ୍ତାର କରାଯାଉଛି, ଯେଉଁଥିରେ ଭାରତ ମଧ୍ୟ ସାମିଲ ଥିବା ସୂଚନା ମିଳିଛି।  

କମ୍ପାନିର ଦାବି ଅନୁସାରେ, ଏହି ମଡେଲ୍ ବିଭିନ୍ନ ସଫ୍ଟୱେର ଓ ଡିଜିଟାଲ୍ ସିଷ୍ଟମ୍‌ରେ ଥିବା ହଜାର ହଜାର ସୁରକ୍ଷା ତ୍ରୁଟି ଚିହ୍ନଟ କରିବାରେ ସହାୟକ ହୋଇଛି। ମେ ମାସ ସୁଦ୍ଧା ଅଂଶଗ୍ରହଣକାରୀ ସଂସ୍ଥାମାନେ ୧୦,୦୦୦ରୁ ଅଧିକ ଗୁରୁତର ସଫ୍ଟୱେର ତ୍ରୁଟି ଚିହ୍ନଟ କରିଥିବା ଦାବି କରାଯାଇଛି।  

ତେବେ ଏହି ଏଆଇ ମଡେଲ୍‌କୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଯାଇନାହିଁ। ଏହାର ଉଚ୍ଚ କ୍ଷମତା ଏବଂ ସମ୍ଭାବ୍ୟ ଦୁରୁପଯୋଗକୁ ଦୃଷ୍ଟିରେ ରଖି କେବଳ ଯାଞ୍ଚିତ ସଂଗଠନ ଓ ନିୟନ୍ତ୍ରିତ ପରିବେଶରେ ଏହାର ବ୍ୟବହାରକୁ ଅନୁମତି ଦିଆଯାଉଛି।