ମୁମ୍ବାଇ: ବଲିଉଡ୍ ଅଭିନେତା Aamir Khan ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ତାଙ୍କ ଦୀର୍ଘଦିନର ସାଥୀ Gauri Sprattଙ୍କୁ ବିବାହ କରିବାକୁ ଯାଉଥିବା ଖବରକୁ ନେଇ ଚର୍ଚ୍ଚା ବଢ଼ିଛି। ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁସାରେ, ଅମିର ନିଜେ ଏହି ବିବାହ ତାରିଖକୁ ନିଶ୍ଚିତ କରିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ୫ ଜୁଲାଇରେ ମୁମ୍ବାଇରେ ଏକ ବ୍ୟକ୍ତିଗତ ଓ ସୀମିତ ଉପସ୍ଥିତିର ସମାରୋହରେ ଉଭୟ ବିବାହ କରିବେ। ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ଆୟୋଜନ ହେବ ବୋଲି ଜଣାପଡ଼ିଛି। ବଡ଼ ରିସେପ୍ସନ୍ ପରିବର୍ତ୍ତେ ଏକ ସରଳ ପଞ୍ଜୀକରଣ ଓ ସାଇନିଂ ସମାରୋହ ରଖାଯାଇପାରେ।
ଅମିର ଗତବର୍ଷ ନିଜ ୬୦ତମ ଜନ୍ମଦିନ ଅବସରରେ ଗୌରୀଙ୍କୁ ସର୍ବସାଧାରଣଙ୍କ ସହ ପରିଚୟ କରାଇଥିଲେ। ରିପୋର୍ଟ ଅନୁଯାୟୀ ଉଭୟ କିଛି ସମୟ ଧରି ସମ୍ପର୍କରେ ଅଛନ୍ତି ଏବଂ ଏବେ ଏହାକୁ ଆନୁଷ୍ଠାନିକ ରୂପ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଏହା ଅମିରଙ୍କ ତୃତୀୟ ବିବାହ ହେବ। ପୂର୍ବରୁ ସେ Reena Dutta ଏବଂ ପରେ Kiran Raoଙ୍କ ସହ ବିବାହ କରିଥିଲେ। ଛାଡ଼ପତ୍ର ପରେ ମଧ୍ୟ ଉଭୟଙ୍କ ସହ ତାଙ୍କର ସମ୍ପର୍କ ସକାରାତ୍ମକ ରହିଥିବା କଥା ସେ ପୂର୍ବରୁ ଅନେକଥର କହିଛନ୍ତି।




