ଭୁବନେଶ୍ୱର: ରାଜ୍ୟର ସୌର ଶକ୍ତି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ନଦୀଗାଁ ଗ୍ରାମକୁ ଆନୁଷ୍ଠାନିକ ଭାବେ ଓଡ଼ିଶାର ପ୍ରଥମ ‘ମଡେଲ ସୋଲାର ଭିଲେଜ୍’ (ଆଦର୍ଶ ସୌର ଗ୍ରାମ) ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଏହି ଗୌରବ ହାସଲ କରିଛି ନଦୀଗାଁ।

ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଜିଲ୍ଲାସ୍ତରୀୟ ଉତ୍ସବରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓରେଡା (OREDA), ଟିପିଏନଓଡିଏଲ (TPNODL) ଏବଂ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅନୁଯାୟୀ, ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ‘ମଡେଲ ସୋଲାର ଭିଲେଜ୍’ ବିକଶିତ କରାଯିବାର ବ୍ୟବସ୍ଥା ରହିଛି। ଭଦ୍ରକ ଜିଲ୍ଲାର ୫,୦୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୨ଟି ଗ୍ରାମ ମଧ୍ୟରେ କରାଯାଇଥିବା ସର୍ଭେରେ ନଦୀଗାଁ ସବୁଠାରୁ ଆଗରେ ରହିଛି। ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏଠାରେ ସଫଳତାର ସହ ୧୧୯ କିଲୋୱାଟ୍ କ୍ଷମତା ସମ୍ପନ୍ନ ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି।

ଆଗକୁ କ’ଣ ହେବ ବିକାଶ?

ଏହି ସଫଳତା ପରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ନଦୀଗାଁରେ ବ୍ୟାପକ ସୌର ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରାଯିବ। ସେଗୁଡ଼ିକ ହେଲା:

  • ସୌର ଚାଳିତ ଷ୍ଟ୍ରିଟ୍ ଲାଇଟ୍ (ଆଲୋକୀକରଣ)
  • ସୌର ଜଳ ଯୋଗାଣ ବ୍ୟବସ୍ଥା
  • ସୌର ଶକ୍ତି ଚାଳିତ ଶୀତଳ ଭଣ୍ଡାର (ଏୟାର କଣ୍ଡିସନ୍ଡ ଷ୍ଟୋରେଜ୍)

ଏହି ସମସ୍ତ କାର୍ଯ୍ୟ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA) ମାଧ୍ୟମରେ କାର୍ଯ୍ୟକାରୀ ହେବ। ଗ୍ରାମର ୧୯୫ଟି ଯୋଗ୍ୟ ପରିବାର ମଧ୍ୟରୁ ୧୧୫ ଜଣ ସୌରକରଣ କାର୍ଯ୍ୟ ଶେଷ କରିଥିବା ବେଳେ ବାକି ୮୦ ପରିବାରଙ୍କୁ ମଧ୍ୟ ଶୀଘ୍ର ଏହା ସମ୍ପୂର୍ଣ୍ଣ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି ଅବସରରେ ଲୋକଙ୍କ ସୁବିଧା ପାଇଁ ଟିପିଏନଓଡିଏଲ ପକ୍ଷରୁ ଏକ ସ୍ପଟ୍ ରେଜିଷ୍ଟ୍ରେସନ ଡେସ୍କ ମଧ୍ୟ ଖୋଲାଯାଇଥିଲା।