ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ହ୍ରାସ କରିବା ଏବଂ ଲେବାନନରେ ସ୍ଥିରତା ଆଣିବା ପାଇଁ ଆମେରିକା ସିଧାସଳଖ ସଶସ୍ତ୍ର ସଂଗଠନ ହିଜବୁଲ୍ଲା ସହ ଯୋଗାଯୋଗରେ ଥିବା ସ୍ୱୀକାର କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ସମର୍ଥିତ ଏହି ଗୋଷ୍ଠୀ ସହ ଆମେରିକାର ପ୍ରତ୍ୟକ୍ଷ ଆଲୋଚନା ଚାଲିଥିବା ନେଇ ସେ ସାର୍ବଜନୀନ ଭାବେ ଏକ ବଡ଼ ବୟାନ ଦେଇଛନ୍ତି।
ହ୍ୱାଇଟ୍ ହାଉସଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି ଯେ, ଲେବାନନରେ ହିଂସା କମାଇବା ପାଇଁ ଚାଲିଥିବା ଆଲୋଚନାରେ ସଫଳତା ମିଳୁଛି। ହିଜବୁଲ୍ଲା ଆମେରିକା ସମର୍ଥିତ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ନେଇ ଜଣେ ସାମ୍ବାଦିକ ପ୍ରଶ୍ନ କରିବା ପରେ ଟ୍ରମ୍ପ ଏହାକୁ ସିଧାସଳଖ ମନା କରିଥିଲେ।
ଟ୍ରମ୍ପ କହିଛନ୍ତି; “ପ୍ରତ୍ୟାଖ୍ୟାନର ଅର୍ଥ କ’ଣ? ସେମାନେ ପ୍ରତ୍ୟାଖ୍ୟାନ କରିନାହାନ୍ତି। ପ୍ରକୃତ କଥା ହେଉଛି, ହିଜବୁଲ୍ଲା ପକ୍ଷରୁ ଆମକୁ କଲ୍ ଆସିଥିଲା ଏବଂ ସେମାନେ ଯୁଦ୍ଧ ବନ୍ଦ କରିବା ନେଇ ପ୍ରସ୍ତାବ ଦେଇଥିଲେ। ମୋତେ ଲାଗୁଛି ଆଗକୁ ସେଠାରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।”
ଲେବାନନ ଦୀର୍ଘ ଦଶନ୍ଧି ଧରି ଅସ୍ଥିରତା ଏବଂ ଯୁଦ୍ଧର ସାମ୍ନା କରିଆସୁଛି ବୋଲି ପ୍ରକାଶ କରି ଟ୍ରମ୍ପ କହିଛନ୍ତି ଯେ, “ଲେବାନନରେ ଶାନ୍ତି ପ୍ରତିଷ୍ଠା ହେବା ନିହାତି ଜରୁରୀ। ସେଠାରେ ପ୍ରାୟ ୪୮ ବର୍ଷ ଧରି ଏହି ସଂଘର୍ଷ ଚାଲିଛି। ଏତେ ବର୍ଷର ବିବାଦର ସମାଧାନ କରିବା ସହଜ ନୁହେଁ, ତଥାପି ଆମେ ଏହାର ସମାଧାନ ଚାହୁଁଛୁ।”
ଏହି ଶାନ୍ତି ପ୍ରକ୍ରିୟା ସମ୍ପର୍କରେ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟ ନେତାମାନଙ୍କ ସହ ମଧ୍ୟ ଆଲୋଚନା କରିଥିବା କହିଛନ୍ତି। ଏହି ପୂରା ମାମଲାଟି ଇରାନ ସହ ଜଡ଼ିତ ଏବଂ ମଧ୍ୟପ୍ରାଚ୍ୟର ଉତ୍ତେଜନା ପରସ୍ପର ସହ ଜଡ଼ିତ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।
ଆମେରିକା ପକ୍ଷରୁ ହିଜବୁଲ୍ଲାକୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି। ପୂର୍ବରୁ କୌଣସି ଆମେରିକୀୟ ପ୍ରଶାସନ ସାର୍ବଜନୀନ ଭାବେ ହିଜବୁଲ୍ଲା ସହ ସିଧାସଳଖ ଆଲୋଚନା କରିବା କଥା ସ୍ୱୀକାର କରିନଥିଲେ। ତେଣୁ ଟ୍ରମ୍ପଙ୍କ ଏହି ବୟାନକୁ ଆନ୍ତର୍ଜାତୀୟ ରାଜନୀତିରେ ଏକ ବଡ଼ ପଦକ୍ଷେପ ବୋଲି ଧରାଯାଉଛି।




