ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ (ITDA)ର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।

ଭୁବନେଶ୍ୱରର ସ୍ପେଶାଲ ଜଜ୍ ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଚାଲିଛି। ଏହି ଅପରେସନରେ ଭିଜିଲାନ୍ସର ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଚଢ଼ାଉ ଚାଲିଥିବା ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରେ କେବଳ ରାଜଧାନୀ ଭୁବନେଶ୍ୱରରେ ବୈକୁଣ୍ଠନାଥଙ୍କର ଏକାଧିକ ବହୁତଳ ପ୍ରାସାଦ ଥିବା ଜଣାପଡ଼ିଛି।

ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାରରେ ଥିବା ଏକ ୪ ମହଲା କୋଠା। ଶୈଳଶ୍ରୀ ବିହାର କୈଳାସ ବିହାରରେ ଥିବା ଏକ ୩ ମହଲା କୋଠା। ପଟିଆ କାନନ ବିହାର ଫେଜ୍-୧ (HIG-146) ରେ ଥିବା ଏକ ଦୁଇ ମହଲା କୋଠା। ଚନ୍ଦ୍ରଶେଖରପୁର (HIG-196) ରେ ଥିବା ଆଉ ଏକ ଦୁଇ ମହଲା କୋଠା।

ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ତିନୋଟି ଜିଲ୍ଲାରେ ମଧ୍ୟ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି:

ଯାଜପୁର:ଧର୍ମଶାଳା କଲେଜ ନିକଟସ୍ଥ ପଣ୍ଡୁଆରେ ଥିବା ପୈତୃକ ଜମି ଉପରେ ନିର୍ମିତ ଦୁଇ ମହଲା କୋଠା ଏବଂ ସେଠାରେ ଥିବା ଜଣେ ସମ୍ପର୍କୀୟଙ୍କ ଘର।

ମୟୂରଭଞ୍ଜ: ବାରିପଦା ସହରର ଦେଉଳସାହିରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର।

କନ୍ଧମାଳ: ବାଲିଗୁଡ଼ା ଆଇଟିଡିଏ ଅଫିସରେ ଥିବା ତାଙ୍କର ସରକାରୀ ଚାମ୍ବର ଏବଂ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ବାସଭବନ।

ଭୁବନେଶ୍ୱର, ବାରିପଦା, ଯାଜପୁରର ଧର୍ମଶାଳା ଏବଂ କନ୍ଧମାଳର ବାଲିଗୁଡ଼ାରେ ଏହି ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ସମ୍ପତ୍ତିର ସମ୍ପୂର୍ଣ୍ଣ ଆକଳନ କରାଯାଇ ନାହିଁ ଏବଂ ସର୍ଚ୍ଚ ଶେଷ ହେବା ପରେ ଅଧିକ ସୂଚନା ମିଳିବ ବୋଲି ଭିଜିଲାନ୍ସ ଅଧିକାରୀମାନେ ପ୍ରକାଶ କରିଛନ୍ତି।