କିନସାସା: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (DRC)ରେ ଏବୋଲା ସଂକ୍ରମଣ ସ୍ଥିତି ସଂଗୀନ ହେବାରେ ଲାଗିଛି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସେଶେଷ ରିପୋର୍ଟ ଅନୁଯାୟୀ, କଙ୍ଗୋରେ ନିଶ୍ଚିତ ହୋଇଥିବା ଏବୋଲା ଆକ୍ରାନ୍ତଙ୍କ ସଂଖ୍ୟା ୪୫୨କୁ ବୃଦ୍ଧି ପାଇଥିବା ବେଳେ ଏପର୍ଯ୍ୟନ୍ତ ୮୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।ରିପୋର୍ଟ ମୁତାବକ, ଗତ ଜୁନ୍ ୪ ତାରିଖରେ ଇତୁରି ଏବଂ ଉତ୍ତର କିଭୁ ପ୍ରଦେଶରୁ ୭୧ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି।
‘ବୁଣ୍ଡିବୁଗ୍ୟୋ’ (Bundibugyo) ଷ୍ଟ୍ରେନ୍ ଯୋଗୁଁ ବ୍ୟାପୁଥିବା ଏହି ଭୂତାଣୁ ସ୍ଥାନୀୟ ଅଞ୍ଚଳରେ ଅତି ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୫୮ ଜଣ ରୋଗୀ ଆଇସୋଲେସନ ବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମାତ୍ର ୮ ଜଣ ସୁସ୍ଥ ହୋଇଛନ୍ତି।ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା (Contact Tracing) ବର୍ତ୍ତମାନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ପ୍ରାୟ ୪,୭୬୬ ଜଣଙ୍କୁ ନଜରରେ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨,୭୫୫ (୫୭.୮ ପ୍ରତିଶତ) ଲୋକଙ୍କୁ ହିଁ ଯାଞ୍ଚ କରାଯାଇପାରିଛି। ମୃତ୍ୟୁ ପରେ ଶରୀରର ସ୍ୱାବ୍ ପରୀକ୍ଷାକୁ ସ୍ଥାନୀୟ ଲୋକଙ୍କ ବିରୋଧ, ଚିକିତ୍ସାଳୟର ଅଭାବ, ଜରୁରୀକାଳୀନ ଔଷଧ ଏବଂ ସଂକ୍ରମଣ ରୋକିବା ସାମଗ୍ରୀର ଅଭାବ ଯୋଗୁଁ ସ୍ଥିତି ଅଧିକ ଜଟିଳ ହେଉଛି। ଏଥିସହ ଏହି ମହାମାରୀର ମୁକାବିଲା ପାଇଁ ପ୍ରାୟ ୨୧.୫ ମିଲିୟନ ଆମେରିକୀୟ ଡଲାରର ପାଣ୍ଠି ଅଭାବ ଥିବା ସୂଚନା ମିଳିଛି।ଅନ୍ୟପଟେ ପଡ଼ୋଶୀ ଦେଶ ଉଗାଣ୍ଡାରେ ମଧ୍ୟ ନୂଆ ୩ ଜଣ ଏବୋଲା ରୋଗୀ ଚିହ୍ନଟ ହେବା ପରେ ସେଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।
ଏହି ଜୀବାଣୁ ଜନିତ ରୋଗରେ ବର୍ତ୍ତମାନ ସୁଦ୍ଧା ୩୪ ଜଣ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଆଫ୍ରିକା ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ୍ (Africa CDC) ସୂଚନା ଦେଇଛନ୍ତି ଯେ, ଏହି ନିର୍ଦ୍ଦିଷ୍ଟ ଏବୋଲା ଷ୍ଟ୍ରେନ୍ ପାଇଁ ବର୍ତ୍ତମାନ କୌଣସି ସଠିକ୍ ଚିକିତ୍ସା ଉପଲବ୍ଧ ନାହିଁ। ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି, ଲୋକଙ୍କ ସ୍ଥାନାନ୍ତରଣ, ଏବଂ ଗୁଜବ ଯୋଗୁଁ ସ୍ଥିତି ନିୟନ୍ତ୍ରଣ କରିବା କଷ୍ଟକର ହେଉଛି।
ଏହି ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ଦିନ ଉଭୟ ସଂଗଠନ ମିଳିତ ଭାବେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆଗାମୀ ଜୁନ୍ରୁ ନଭେମ୍ବର ମାସ ମଧ୍ୟରେ ଆଫ୍ରିକୀୟ ଦେଶଗୁଡ଼ିକୁ ସହାୟତା ଏବଂ ଦ୍ରୁତ ଚିକିତ୍ସା ଯୋଗାଇବା ପାଇଁ ୫୧୮ ମିଲିୟନ ଆମେରିକୀୟ ଡଲାରର ଏକ ମିଳିତ ଜରୁରୀକାଳୀନ ଯୋଜନା ଆରମ୍ଭ କରାଯାଇଛି।




