ଭୁବନେଶ୍ୱର/ଫୁଲବାଣୀ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ବିଭିନ୍ନ ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ବ୍ୟାଙ୍କ ଲକରରୁ ପ୍ରାୟ ୨ କୋଟି ଟଙ୍କା ଜବତ ହୋଇଥିବା ସୂଚନା ସାମ୍ନାକୁ ଆସିଛି।
ଭିଜିଲାନ୍ସ ଟିମ୍ ଭୁବନେଶ୍ୱର, ବାଲିଗୁଡ଼ା, ବାରିପଦା ଏବଂ ଯାଜପୁର ସମେତ ମୋଟ ୯ଟି ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ କରିଥିଲା। ତଦନ୍ତ ବେଳେ ଏକାଧିକ କୋଠା, ଜମି ପ୍ଲଟ୍, ନଗଦ ଅର୍ଥ, ସୁନା ଅଳଙ୍କାର ଏବଂ ବ୍ୟାଙ୍କ ଜମା ସମ୍ପର୍କିତ ଦଲିଲପତ୍ର ଠାବ କରାଯାଇଛି।
ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ତାଙ୍କ ନାମରେ ୫ଟି ବହୁତଳ କୋଠା ଏବଂ ୧୩ଟି ମୂଲ୍ୟବାନ ପ୍ଲଟ୍ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଅଧିକାଂଶ ସମ୍ପତ୍ତି ରହିଥିବାବେଳେ ଯାଜପୁର ଓ ମୟୂରଭଞ୍ଜରେ ମଧ୍ୟ ସମ୍ପତ୍ତି ଥିବା ଜଣାପଡ଼ିଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ ଲକରରୁ ମିଳିଥିବା ଟଙ୍କା ବ୍ୟତୀତ ଏପର୍ଯ୍ୟନ୍ତ ପ୍ରାୟ ୨.୬୬ ଲକ୍ଷ ଟଙ୍କା ନଗଦ ଓ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରାଯାଇଛି। ଦୁଇଟି ସୁନା ମୂର୍ତ୍ତି ମଧ୍ୟ ଠାବ ହୋଇଥିବା କୁହାଯାଇଛି।
ବୈକୁଣ୍ଠ ବେହେରା ୧୯୯୯ ମସିହାରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ। ନବରଙ୍ଗପୁର, ଉଦଳା ଓ ନବରଙ୍ଗପୁର ଆଇଟିଡିଏରେ ବିଭିନ୍ନ ସମୟରେ କାମ କରିବା ପରେ ସମ୍ପ୍ରତି ବାଲିଗୁଡ଼ା ଆଇଟିଡିଏରେ କାର୍ଯ୍ୟରତ ଥିଲେ। ନିକଟରେ ତାଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ମିଳିଥିଲା।
ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ବ୍ୟାଙ୍କ ଖାତା, ଲକର, ଜମାପାଣ୍ଠି ଏବଂ ଅନ୍ୟାନ୍ୟ ଆର୍ଥିକ ଦଲିଲର ଯାଞ୍ଚ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତଦନ୍ତ ଚାଲିଥିବାରୁ ଅନ୍ତିମ ସମ୍ପତ୍ତି ମୂଲ୍ୟାୟନ ଘୋଷଣା ହୋଇନାହିଁ।




