ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡି’ ଭିତରେ ମତଭେଦ ଆହୁରି ସ୍ପଷ୍ଟ ହେଉଥିବା ଚିତ୍ର ସାମ୍ନାକୁ ଆସିଛି। ଜୁନ୍ ୮ ତାରିଖରେ କଂଗ୍ରେସ ଡାକିଥିବା ଇଣ୍ଡି ମେଣ୍ଟ ବୈଠକରେ ସିପିଆଇ(ଏମ୍) ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ଡିଏମ୍କେ ମଧ୍ୟ ବୈଠକକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା।
ଝାଡ଼ଖଣ୍ଡର ଦୁଇଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ ପାଇଁ କଂଗ୍ରେସ ପକ୍ଷରୁ ଏକପାଖିଆ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ଜେଏମ୍ଏମ୍ ଅସନ୍ତୋଷ ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଉଭୟ ଆସନରେ ନିଜ ଦଳର ପ୍ରାର୍ଥୀ ଦେବାକୁ ଚାହୁଁଥିବା ବେଳେ କଂଗ୍ରେସର ଏହି ପଦକ୍ଷେପକୁ ମେଣ୍ଟ ଧର୍ମ ବିରୋଧୀ ବୋଲି ଦେଖାଯାଉଛି।
ଅନ୍ୟପଟେ, ସିପିଆଇ(ଏମ୍) କେରଳ ରାଜନୀତିକୁ କେନ୍ଦ୍ର କରି କଂଗ୍ରେସ ନେତୃତ୍ୱ ଉପରେ ଅସନ୍ତୋଷ ଜଣାଇଛି। ସିପିଆଇ(ଏମ୍) ସାଧାରଣ ସମ୍ପାଦକ ଏମ୍.ଏ. ବେବୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖି କେରଳ ବିଧାନସଭା ନିର୍ବାଚନ ସମୟରେ ସିପିଆଇ(ଏମ୍) ଓ ବିଜେପି ମଧ୍ୟରେ ଗୁପ୍ତ ବୁଝାମଣା ଥିବା ନେଇ କଂଗ୍ରେସ କରିଥିବା ଅଭିଯୋଗକୁ ନେଇ ଆପତ୍ତି ଉଠାଇଛନ୍ତି।
ଚିଠିରେ ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସର ଶୀର୍ଷ ନେତାମାନେ ପ୍ରଚାର ସମୟରେ ବାରମ୍ବାର ସିପିଆଇ(ଏମ୍) ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଥିଲେ, ଯାହା ସହଯୋଗୀ ଦଳ ମଧ୍ୟରେ ବିଶ୍ୱାସକୁ କ୍ଷତି ପହଞ୍ଚାଇଛି।
ଏପରି ପରିସ୍ଥିତିରେ ଇଣ୍ଡି ମେଣ୍ଟ ଭିତରେ ସମନ୍ୱୟ ଓ ନେତୃତ୍ୱ ପ୍ରଶ୍ନକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ବୈଠକ ପୂର୍ବରୁ ମେଣ୍ଟର ମୁଖ୍ୟ ସହଯୋଗୀ ଦଳମାନଙ୍କ ଏଭଳି ଦୂରତା ଆଗାମୀ ରାଜନୈତିକ ସମୀକରଣ ଉପରେ ପ୍ରଭାବ ପକାଇପାରେ।




