ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଆଗାମୀ ୬ ରୁ ୮ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD) ରବିବାର ଏହି ସୂଚନା ଦେଇଛି। ଉପମହାଦ୍ୱୀପରେ ଏହି ଋତୁକାଳୀନ ବର୍ଷା ନିଜର ସ୍ୱାଭାବିକ ଗତିରେ ଆଗକୁ ବଢ଼ିବାରେ ଲାଗିଛି।ଚଳିତ ବର୍ଷ ମୌସୁମୀ ବାୟୁ ମେ ୧୬ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିଥିବା ବେଳେ ଜୁନ୍ ୪ ତାରିଖରେ ଏହା କେରଳ ଛୁଇଁଥିଲା।
ସେବେଠାରୁ ଏହା ପଶ୍ଚିମ-କେନ୍ଦ୍ରୀୟ ଏବଂ ପୂର୍ବ-କେନ୍ଦ୍ରୀୟ ଆରବ ସାଗର, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳ, ତାମିଲନାଡୁର ଅଧିକାଂଶ ଭାଗ ଏବଂ ବଙ୍ଗୋପସାଗରର କେତେକ ସ୍ଥାନ ସମେତ ମିଜୋରାମ ଓ ମଣିପୁରରେ ମଧ୍ୟ ସକ୍ରିୟ ହୋଇସାରିଛି।
ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର କେତେକ ଅଞ୍ଚଳ, ତାମିଲନାଡୁର ବାକି ଅଞ୍ଚଳ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଆଗକୁ ବଢ଼ିବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆଇଏମଡି (IMD) ପକ୍ଷରୁ କୁହାଯାଇଛି ଯେ, “ଆଗାମୀ ୬ ରୁ ୮ ଦିନ ମଧ୍ୟରେ ମୌସୁମୀ ବାୟୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳ, ଛତିଶଗଡ଼ ଓ ଓଡ଼ିଶାର କେତେକ ଅଞ୍ଚଳ, ଉତ୍ତର-ପୂର୍ବ ଭାରତର ଅବଶିଷ୍ଟ ଭାଗ ଏବଂ ଉପ-ହିମାଳୟ ପଶ୍ଚିମବଙ୍ଗ ଓ ସିକିମର କିଛି ସ୍ଥାନକୁ ସଂପ୍ରସାରିତ ହେବାର ସମ୍ଭାବନା ରହିଛି।”
ଓଡ଼ିଶାରେ ମୌସୁମୀ ଆଗମନ ନେଇ ଆଇଏମଡିର ଏହି ଆକଳନ ପରେ, ତ୍ରାହି ନଥବା ଗରମ ଓ ଗୁଳୁଗୁଳିରୁ ଖୁବ୍ଶୀଘ୍ର ମୁକ୍ତି ମିଳିବ ବୋଲି ଆଶା କରାଯାଉଛି।




