କୋଲକାତା:ପଶ୍ଚିମବଙ୍ଗ ରାଜନୀତିରେ ପୁଣି ହଲଚଲ। ଜଣେ ନାବାଳିକାକୁ ନିର୍ଯାତନା ଏବଂ ଅସଦାଚରଣ ଅଭିଯୋଗରେ କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (KMC)ର ତୃଣମୂଳ କଂଗ୍ରେସ (TMC) କାଉନସିଲର ମହମ୍ମଦ ଜସିମୁଦ୍ଦିନଙ୍କୁ ରବିବାର ବେଙ୍ଗଲ ପୋଲିସ ଗିରଫ କରିଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରଠାରୁ ଏପର୍ଯ୍ୟନ୍ତ ବିଭିନ୍ନ ଅଭିଯୋଗରେ କେଏମସିର ମୋଟ ୮ ଜଣ ଟିଏମସି କାଉନସିଲରଙ୍କୁ ଗିରଫ କରାଗଲାଣି।
୬ ଘଣ୍ଟାର ହଙ୍ଗାମା ପରେ ଗିରଫମହମ୍ମଦ ଜସିମୁଦ୍ଦିନ ମଧ୍ୟ କୋଲକାତାର ଜୋରାସାଙ୍କୋ ଅଞ୍ଚଳର ୩୯ ନମ୍ବର ୱାର୍ଡର କାଉନସିଲର ଅଟନ୍ତି। ରବିବାର ଅପରାହ୍ନରେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ସକାଳୁ ହିଁ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ତାଙ୍କ ଘରକୁ ଘେରି ରଖିଥିଲେ। ଅଭିଯୋଗ ହୋଇଛି ଯେ, ଟିଏମସି ନେତା ଜଣକ ଭିତରୁ କବାଟ ବନ୍ଦ କରି ରଖିଥିଲେ ଏବଂ ଖୋଲୁନଥିଲେ। ପ୍ରାୟ ୬ ଘଣ୍ଟା ଅପେକ୍ଷା କରିବା ପରେ ପୋଲିସ ତାଲା ଚାବି ବନାଇବା ବାଲାକୁ ଡାକି ଜୋରଜବରଦସ୍ତ କବାଟ ଖୋଲି ଘର ଭିତରକୁ ପ୍ରବେଶ କରିଥିଲା ଏବଂ ଜସିମୁଦ୍ଦିନଙ୍କୁ ଗିରଫ କରିଥିଲା।
ଘଟଣାସ୍ଥଳରେ ଉତ୍ତେଜନା, ଅଣ୍ଡା ମାଡ଼ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। କାଉନସିଲରଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ସମର୍ଥକମାନେ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବିଜେପି କର୍ମୀମାନେ ମଧ୍ୟ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ପୋଲିସ ଗାଡ଼ିକୁ ନେବା ସମୟରେ ବିଜେପି ସମର୍ଥକମାନେ ଗିରଫ କାଉନସିଲରଙ୍କ ଉପରକୁ ଅଣ୍ଡା ମାଡ଼ କରିଥିବା ସୂଚନା ମିଳିଛି।
ପୋସ୍କୋ (POCSO) ଆକ୍ଟରେ ମାମଲା ରୁଜୁପୋଲିସ ସୂଚନା ଅନୁଯାୟୀ, ଜସିମୁଦ୍ଦିନଙ୍କ ବିରୋଧରେ ‘ପ୍ରୋଟେକସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନ୍ସେସ’ (POCSO) ଆକ୍ଟ, ୨୦୧୨ ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।
କ’ଣ ଥିଲା ପୂରା ଘଟଣା?
ସ୍ଥାନୀୟ ସୂତ୍ର ଅନୁସାରେ, ତିନି ବର୍ଷ ପୂର୍ବେ ଜସିମୁଦ୍ଦିନଙ୍କ କିଛି ସହଯୋଗୀ ସେହି ଅଞ୍ଚଳର ଜଣେ ନାବାଳିକାକୁ ନିର୍ଯାତନା ଦେଇଥିଲେ। ସେହି ନାବାଳିକା ଜଣକ ଏବେ କଲେଜ ଛାତ୍ରୀ। ଗତ ଶନିବାର ଦିନ କାଲାବାଗାନ ଅଞ୍ଚଳରେ ତାଙ୍କୁ ପୁଣି ଥରେ ନିର୍ଯାତନା ଦିଆଯିବା ସହ ପୁରୁଣା ମାମଲା ପ୍ରତ୍ୟାହାର କରିବାକୁ ଧମକ ଦିଆଯାଇଥିଲା। ଏହା ପରେ ପୀଡ଼ିତାଙ୍କ ପରିବାର ଲୋକେ ଜୋରାସାଙ୍କୋ ଥାନାରେ ଅଭିଯୋଗ କରିଥିଲେ। ଶନିବାର ରାତିରେ ପୋଲିସ ଜସିମୁଦ୍ଦିନଙ୍କ ଜଣେ ଅତି ନିକଟତର ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏହି ମାମଲାରେ କାଉନସିଲରଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସିପିଆଇ(ଏମ)ରୁ ଆସିଥିଲେ ଟିଏମସିକୁମହମ୍ମଦ ଜସିମୁଦ୍ଦିନ ପୂର୍ବରୁ ସିପିଆଇ(ଏମ) ଦଳରେ ଥିଲେ। ୨୦୧୫ ପୌର ନିର୍ବାଚନ ପୂର୍ବରୁ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଟିଏମସି ଟିକେଟରେ କ୍ରମାଗତ ଦୁଇଟି ନିର୍ବାଚନ ଜିତିଥିଲେ। ଟିଏମସି ସୂତ୍ର ଅନୁଯାୟୀ, ସେ ପୂର୍ବତନ ବିଧାୟକ ବିବେକ ଗୁପ୍ତାଙ୍କ ସହଯୋଗୀ ଥିଲେ, ଯାହାଙ୍କୁ ୨୦୨୬ ବିଧାନସଭା ନିର୍ବାଚନରେ ଜୋରାସାଙ୍କୋରୁ ଟିକେଟ୍ ମିଳିନଥିଲା।




