ଭୁବନେଶ୍ବର/ଫୁଲବାଣୀ: ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ଭିଜିଲାନ୍ସର ତଦନ୍ତ ଆହୁରି ଚର୍ଚ୍ଚାରେ ଆସିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ବ୍ୟାଙ୍କ ଲକର ଖୋଲିବା ପରେ ସେଠାରୁ ୭୦୩ ଗ୍ରାମ୍ ସୁନା ଜବତ କରାଯାଇଛି। ଏହା ସହ ଏପର୍ଯ୍ୟନ୍ତ ମୋଟ ୧୨୫୫ ଗ୍ରାମ୍ ସୁନା ଠାବ ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ଭିଜିଲାନ୍ସ ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି।

ଭିଜିଲାନ୍ସ ଅନୁସନ୍ଧାନରେ ତାଙ୍କ ସହ ସଂପୃକ୍ତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ତଦନ୍ତ ସମୟରେ ୫ଟି ବହୁତଳ କୋଠା, ୧୩ଟି ମୂଲ୍ୟବାନ ପ୍ଲଟ୍‌, ବିପୁଳ ପରିମାଣର ସୁନା ଅଳଙ୍କାର ଏବଂ ବ୍ୟାଙ୍କ ଲକରରୁ ପ୍ରାୟ ୨ କୋଟି ଟଙ୍କା ନଗଦ ଅର୍ଥ ଠାବ ହୋଇଥିବା ସୂଚନା ମିଳିଛି।

ଚଢ଼ାଉ ସମୟରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, କାନନବିହାର ସମେତ ବାଲିଗୁଡ଼ା, ବାରିପଦା ଏବଂ ଯାଜପୁର ଧର୍ମଶାଳାର ବିଭିନ୍ନ ଠିକଣାରେ ତଲାସି କରାଯାଇଥିଲା। ତଦନ୍ତକାରୀ ଦଳ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦଲିଲ, ବ୍ୟାଙ୍କ ରେକର୍ଡ ଓ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ କରିଛି।

ତଦନ୍ତରେ ଏପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଏକାଧିକ କୋଠା ଓ ଜମି ପ୍ଲଟ୍‌ ଚିହ୍ନଟ ହୋଇଛି। ସେହିପରି ଯାଜପୁର ଓ ମୟୂରଭଞ୍ଜରେ ମଧ୍ୟ ସମ୍ପତ୍ତି ଥିବା ଜଣାପଡ଼ିଛି। ଏହା ସହ ତାଙ୍କ ପତ୍ନୀଙ୍କ ନାମରେ ଥିବା ବ୍ୟାଙ୍କ ଲକର ଓ ଜମାପାଣ୍ଠି ଉପରେ ମଧ୍ୟ ଖୋଳତାଡ଼ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ବୈକୁଣ୍ଠ ନାଥ ବେହେରା ୧୯୯୯ ମସିହାରେ କନିଷ୍ଠ ଯନ୍ତ୍ରୀ ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ। ଦୀର୍ଘ ୨୭ ବର୍ଷର ସେବା ପରେ ନିକଟରେ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦକୁ ପଦୋନ୍ନତି ପାଇଥିଲେ। ବର୍ତ୍ତମାନ ମାମଲାରେ ତଦନ୍ତ ଜାରି ରହିଛି।