ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା (PMUY) ହିତାଧିକାରୀଙ୍କ ପାଇଁ ନୂଆ ନିଷ୍ପତ୍ତି ଘୋଷଣା ହୋଇଛି। ଏବେଠାରୁ ଯୋଜନା ଅଧୀନରେ ବର୍ଷକୁ କେବଳ ୪ଟି ଏଲ୍ପିଜି ସିଲିଣ୍ଡର ଉପରେ ସରକାରୀ ରିହାତି ମିଳିବ। ପୂର୍ବରୁ ଏହି ସଂଖ୍ୟା ୧୨ ଥିବାବେଳେ ପରେ ତାହାକୁ ୯କୁ କମାଯାଇଥିଲା।
ପେଟ୍ରୋଲିୟମ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରବୀଣ ମଲ ଖନୋଜାଙ୍କ ସୂଚନା ଅନୁଯାୟୀ, ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କ ହାରାହାରି ଗ୍ୟାସ୍ ବ୍ୟବହାର ଆକଳନକୁ ଆଧାର କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
୨୦୧୬ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ୧୪.୨ କେଜି ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ପାଇଁ ପ୍ରଥମେ ୨୦୨୨ ମେ ମାସରେ ୨୦୦ ଟଙ୍କା ରିହାତି ଘୋଷଣା କରାଯାଇଥିଲା। ପରେ ୨୦୨୩ ଅକ୍ଟୋବରରେ ସେହି ରିହାତି ରାଶିକୁ ବଢ଼ାଇ ୩୦୦ ଟଙ୍କା କରାଯାଇଥିଲା। ଏହି ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଜମା କରାଯାଉଛି।
ଏପଟେ ମଧ୍ୟପ୍ରାଚ୍ୟର ଅସ୍ଥିରତା ଓ ତେଲ ବଜାରର ପ୍ରଭାବରେ ଗତ ତିନି ମାସ ମଧ୍ୟରେ ୧୪.୨ କେଜି ଏଲ୍ପିଜି ସିଲିଣ୍ଡର ଦର ୮୯ ଟଙ୍କା ବୃଦ୍ଧି ପାଇ ୯୪୨ ଟଙ୍କାରେ ପହଞ୍ଚିଛି। ତେବେ ଉଜ୍ଜ୍ବଳା ଯୋଜନା ହିତାଧିକାରୀମାନେ ୩୦୦ ଟଙ୍କା ରିହାତି ପାଉଥିବାରୁ ସେମାନଙ୍କ ପାଇଁ ପ୍ରଭାବୀ ଦର ୬୪୨ ଟଙ୍କା ରହିବ।
ଏହି ନିଷ୍ପତ୍ତି ଗ୍ରାମାଞ୍ଚଳ ଓ ନିମ୍ନ ଆୟ ବର୍ଗର ପରିବାରଙ୍କ ଘରୋଇ ଖର୍ଚ୍ଚ ଉପରେ ପ୍ରଭାବ ପକାଇପାରେ ବୋଲି ମତ ପ୍ରକାଶ ପାଉଛି।




