ନୂଆଦିଲ୍ଲୀ: ସାଉଦି ଆରବରେ ରହୁଥିବା ଜଣେ ଭାରତୀୟ ଛାତ୍ରଙ୍କ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମାର୍କବୃଦ୍ଧି ପରୀକ୍ଷାର ଫଳ ପ୍ରକାଶରେ ବିଳମ୍ବକୁ ନେଇ ମାମଲା ସୁପ୍ରିମ୍କୋର୍ଟରେ ପହଞ୍ଚିଛି। ଫଳାଫଳ ପ୍ରକାଶ ନ ହେବାରୁ କଲେଜରେ ନାମଲେଖା ଏବଂ ଉଚ୍ଚଶିକ୍ଷା ପ୍ରଭାବିତ ହେଉଥିବା ଦର୍ଶାଇ ଛାତ୍ର ଆବେଦନ କରିଥିଲେ।
ସୋମବାର ଜଷ୍ଟିସ ମନମୋହନ ଓ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ସିବିଏସ୍ଇର ଆଭିମୁଖ୍ୟ ଉପରେ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସିବିଏସ୍ଇ ଓ ସମ୍ପୃକ୍ତ ଆଞ୍ଚଳିକ ଅଧିକାରୀଙ୍କୁ ନୋଟିସ୍ ଜାରି କରି କହିଛନ୍ତି ଯେ, ଏହା ଜଣେ ଛାତ୍ରର ଭବିଷ୍ୟତ ସହ ଜଡିତ ବିଷୟ ଏବଂ ଯେକୌଣସି ପରିସ୍ଥିତିରେ ତୁରନ୍ତ ସମାଧାନ କରିବା ଆବଶ୍ୟକ।
ଆବେଦନକାରୀ ପ୍ରାଂଶୁ ଜିଗରକୁମାର ପଟେଲ ସାଉଦି ଆରବର ଅଲ୍ ଜୁବେଲ ସହରରେ ସିବିଏସ୍ଇର ଦ୍ୱାଦଶ ମାର୍କବୃଦ୍ଧି ପରୀକ୍ଷା ଦେଇଥିଲେ। ସେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଇଂରାଜୀ ଓ କମ୍ପ୍ୟୁଟର ସାଇନ୍ସ ବିଷୟରେ ନିଜ ମାର୍କ ଉନ୍ନତ କରିବା ପାଇଁ ପରୀକ୍ଷା ଦେଇଥିବା କହିଛନ୍ତି। କିନ୍ତୁ ପରୀକ୍ଷା ପରେ ଫଳ ପ୍ରକାଶ ହୋଇନଥିବାରୁ ତାଙ୍କ ଶିକ୍ଷା ଯୋଜନା ବାଧାପ୍ରାପ୍ତ ହୋଇଛି।
ପ୍ରାଂଶୁଙ୍କ ଅଭିଯୋଗ ଅନୁଯାୟୀ, ସେ ମେ ୧୭, ମେ ୨୧ ଓ ମେ ୩୦ ତାରିଖରେ ସିବିଏସ୍ଇକୁ ଇ-ମେଲ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ଏହାର ପ୍ରଭାବରେ ଦେଶ ଓ ବିଦେଶର ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଭର୍ତ୍ତି ପ୍ରକ୍ରିୟାରେ ସେ ଅଂଶଗ୍ରହଣ କରିପାରୁନାହାନ୍ତି।
ସୂଚନାଯୋଗ୍ୟ, ଯୁଦ୍ଧସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍ଇ ଚଳିତ ବର୍ଷ ବାହାରିନ, ଇରାନ, କୁଏତ, ଓମାନ, କତର, ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ସାତଟି ଉପସାଗରୀୟ ଦେଶରେ ସାଧାରଣ ପରୀକ୍ଷା ଆୟୋଜନ କରିନଥିଲା। ସେହି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଏକ ଶିକ୍ଷାବର୍ଷ ନଷ୍ଟ ନହେବା ପାଇଁ ବିଶେଷ ଆସେସମେଣ୍ଟ ବ୍ୟବସ୍ଥା କରାଯାଇଥିଲା। ତେବେ ପ୍ରାଂଶୁଙ୍କ ମାମଲାରେ ଫଳ ପ୍ରକାଶ ନ ହେବାକୁ ନେଇ ପ୍ରଶ୍ନ ଉଠିଛି।




