ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପରେ ଇଣ୍ଡି ମେଣ୍ଟର ପ୍ରଥମ ଔପଚାରିକ ବୈଠକ ସୋମବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଜାତୀୟ ରାଜନୀତିରେ ବିରୋଧୀ ଏକତାକୁ ଆହୁରି ସୁଦୃଢ଼ କରିବା ଏବଂ ଆଗାମୀ ରାଜନୈତିକ ରଣନୀତି ପ୍ରସ୍ତୁତିକୁ ନେଇ ଏହି ବୈଠକ ଆୟୋଜିତ ହୋଇଥିଲା। ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ହୋଇଥିବା ବୈଠକରେ ୨୫ଟି ବିରୋଧୀ ଦଳର ପ୍ରତିନିଧି ଯୋଗ ଦେଇଥିଲେ।
ତେବେ ଡିଏମ୍କେ ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ବୈଠକରେ ଯୋଗ ଦେଇନଥିଲେ। ଡିଏମ୍କେ ପୂର୍ବରୁ ନିଜର ଅନୁପସ୍ଥିତି ସ୍ପଷ୍ଟ କରିଥିଲା।
ବୈଠକରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ରାଜ୍ୟସଭା ସାଂସଦ କପିଲ ସିବଲଙ୍କ ସହ ମୋଟ ୨୭ ଜଣ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ବୈଠକ ଶେଷ ପରେ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ମେଣ୍ଟ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସାମୂହିକ ନିଷ୍ପତ୍ତି ନେଇଛି। ନିର୍ବାଚନରେ କଥିତ ଜାଲିଆତି ଏବଂ ଏସ୍ଆଇଆର୍ ପ୍ରସଙ୍ଗରେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖାଯିବ। ଏହା ସହ ନିଟ୍ ଏବଂ ସିବିଏସ୍ଇ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବ।
ଖଡ଼ଗେ କହିଛନ୍ତି, ଯୁବବର୍ଗକୁ କେନ୍ଦ୍ରରେ ରଖି ମେଣ୍ଟ ଏକ ସ୍ୱତନ୍ତ୍ର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ବିରୋଧୀ ଦଳମାନେ ରଣନୀତିକୁ ଆହୁରି ମଜବୁତ କରିବେ।
ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ପ୍ରତି ଦୁଇ ମାସରେ ଥରେ ଇଣ୍ଡି ମେଣ୍ଟର ବୈଠକ ହେବ ଏବଂ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରେ ନିୟମିତ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ।
ବୈଠକ ପରେ କଂଗ୍ରେସ ପକ୍ଷରୁ ବିରୋଧୀ ନେତାମାନଙ୍କ ଏକ ସାମୂହିକ ଫଟୋ ସେୟାର କରାଯାଇଥିଲା, ଯାହାର କ୍ୟାପ୍ସନ୍ ରହିଥିଲା — ‘United We Stand’। ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍ରେ ଓ ଜେଏମ୍ଏମ୍ ନେତା ହେମନ୍ତ ସୋରେନ ସଶରୀର ଉପସ୍ଥିତ ନ ଥିଲେ ମଧ୍ୟ ଭର୍ଚୁଆଲ୍ ଭାବେ ବୈଠକରେ ଯୋଗ ଦେଇଥିଲେ।




