ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ନାଗରିକ ସମ୍ମାନ ‘ପଦ୍ମ ପୁରସ୍କାର 2026’ର ଦ୍ୱିତୀୟ ଚରଣ ଆସନ୍ତା ଜୁନ୍ ୨୩ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଯାଉଛି। ଏହି ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଳା, ସିନେମା ଏବଂ ସଙ୍ଗୀତ ଜଗତର ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବେ। ଚଳିତ ବର୍ଷ ମୋଟ ୧୩୧ ଜଣଙ୍କ ତାଲିକାରୁ ୬୬ ଜଣଙ୍କୁ ପୂର୍ବରୁ ପୁରସ୍କୃତ କରାଯାଇ ସାରିଥିବା ବେଳେ ବାକି ପ୍ରତିଭାମାନଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯିବ।

ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଣାଶୁଣା ଅଭିନେତା ତଥା ଫିଲ୍ମମେକର ଆର୍. ମାଧବନ (ମ୍ୟାଡି) ଏବଂ ଚାରି ଦଶନ୍ଧି ଧରି ନିଜର ଚମତ୍କାର କମିକ୍ ଟାଇମିଂ ଦ୍ୱାରା ଦର୍ଶକଙ୍କୁ ହସାଇଥିବା ସ୍ୱର୍ଗତ ଅଭିନେତା ସତୀଶ ଶାହାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯିବ। ଏହାସହ, ୬ଟି ଭାଷାରେ ୨୮୬ରୁ ଅଧିକ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିବା ତେଲୁଗୁ ସିନେମାର ଦିଗ୍ଗଜ ରାଜେନ୍ଦ୍ର ପ୍ରସାଦଙ୍କୁ ମଧ୍ୟ ‘ପଦ୍ମଶ୍ରୀ’ ପ୍ରଦାନ କରାଯିବ।

ଅପରପକ୍ଷରେ, ୫୦ ବର୍ଷରୁ ଅଧିକ ଦୀର୍ଘ କ୍ୟାରିୟର ମଧ୍ୟରେ ୪୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ମାଲାୟାଲମ୍ ସୁପରଷ୍ଟାର୍ ମମ୍ମୁଟିଙ୍କୁ ତାଙ୍କର ଅତୁଳନୀୟ ଅଭିନୟ ଓ ସାମାଜିକ କାର୍ଯ୍ୟ ପାଇଁ ‘ପଦ୍ମଭୂଷଣ’ରେ ସମ୍ମାନିତ କରାଯିବ। ପ୍ରତିବର୍ଷ କଳା, ସାହିତ୍ୟ, କ୍ରୀଡ଼ା ଏବଂ ସମାଜସେବା ଭଳି ବିଭିନ୍ନ କ୍ଷେତ୍ରରେ ଅଦ୍ୱିତୀୟ ଅବଦାନ ପାଇଁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥାଏ।