ୱାଶିଂଟନ/ତେହେରାନ: ଆମେରିକା ସେନାର ଏକ ଆପାଚେ ହେଲିକପ୍ଟରକୁ ଇରାନ ଖସାଇ ଦେବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ଜବାବରେ ଆମେରିକା କେନ୍ଦ୍ରୀୟ କମାଣ୍ଡ (CENTCOM) ପକ୍ଷରୁ ଇରାନ ଉପରେ ଶକ୍ତିଶାଳୀ ରକେଟ୍ ଓ ଏୟାରଷ୍ଟ୍ରାଇକ୍ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣକୁ “ଅତ୍ୟନ୍ତ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ” ବୋଲି ବର୍ଣ୍ଣନା କରିଛନ୍ତି।

ସେଣ୍ଟକମ୍ (CENTCOM) ସୋସିଆଲ ମିଡିଆ ଏକ୍ସ ରେ ସୂଚନା ଦେଇଛି ଯେ, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଆମେରିକୀୟ ସମୟ ସନ୍ଧ୍ୟା ୫ଟାରେ ଏହି ବଡ଼ ଧରଣର ଆକ୍ରମଣ ଆରମ୍ଭ ହୋଇଥିଲା। ଏହାପରେ ଦକ୍ଷିଣ ଇରାନର ବନ୍ଦର ସହର ବନ୍ଦର ଅବ୍ବାସ, କ୍ୟୁଶମ ଦ୍ୱୀପ, ସିରିକ ଏବଂ ଜାସ୍କ ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି ଏବଂ ଇରାନର ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ହୋଇଉଠିଛି। ଇରାନ ଗଣମାଧ୍ୟମ ଅନୁଯାୟୀ, ଆମେରିକାର ଯୁଦ୍ଧବିମାନଗୁଡ଼ିକ ଏହି ଅଞ୍ଚଳରେ ବୋମା ବର୍ଷଣ କରିଛନ୍ତି।

ଏହା ପୂର୍ବରୁ ଟ୍ରମ୍ପ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଲେଖିଥିଲେ ଯେ, “ଇରାନ ହର୍ମୁଜ ପ୍ରଣାଳୀ (Strait of Hormuz) ଉପରେ ପାଟ୍ରୋଲିଂ କରୁଥିବା ଆମେରିକାର ଏକ ଅତ୍ୟାଧୁନିକ ଆପାଚେ ହେଲିକପ୍ଟରକୁ ଗୁଳି କରି ଖସାଇ ଦେଇଛି। ଏହାର ଜବାବ ଦେବା ଆମେରିକା ପାଇଁ ଅତ୍ୟନ୍ତ ଜରୁରୀ।” ତେବେ ହେଲିକପ୍ଟର କ୍ରାଶ୍ ହେବା ପରେ ଦୁଇଜଣ ଯାକ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଆଗକୁ ଆହୁରି ବଡ଼ ଆକ୍ରମଣ କରିବ ଇସ୍ରାଏଲ୍!ଅନ୍ୟପଟେ ଇସ୍ରାଏଲ ସେନା କମାଣ୍ଡର ଇୟାଲ ଜାମିର ଚେତାବନୀ ଦେଇ କହିଛନ୍ତି ଯେ, ଇରାନ ଉପରେ ଏହି ଆକ୍ରମଣ କେବଳ ଏକ ଟ୍ରେଲର, ଆଗକୁ ଆହୁରି ଶକ୍ତିଶାଳୀ ଏବଂ ବଡ଼ ଧରଣର ଆକ୍ରମଣ ପାଇଁ ଆଇଡିଏଫ୍ (IDF) ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସେପଟେ ଇସ୍ରାଏଲ ମଧ୍ୟ ଦକ୍ଷିଣ ଲେବାନନ ଉପରେ ଆକ୍ରମଣ ତେଜ୍ କରିଦେଇଛି, ଯାହାଫଳରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।