କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଈଶାନୀପାଲା ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସଜନା ଛୁଇଁ ତୋଳିବା ଭଳି ଏକ ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ପଡ଼ୋଶୀ ପରିବାର ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳ ଶେଷରେ ରକ୍ତାକ୍ତ ରୂପ ନେଇଛି। ଏହି ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଜଣକ କାଜଲବାନ୍ଧା ଗାଁର କୈଳାସ ମଲ୍ଲିକ ବୋଲି ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ଗଛରୁ ସଜନା ଛୁଇଁ ତୋଳିବାକୁ ନେଇ ପ୍ରଥମେ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦେଖୁଦେଖୁ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା ଏବଂ ଉଭୟ ପକ୍ଷ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏହି ସଂଘର୍ଷ ସମୟରେ କୈଳାସଙ୍କୁ ଏକ ସାବଳରେ ଆକ୍ରମଣ କରାଯାଇଥିଲା, ଯାହାଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ସେ ପ୍ରାଣ ହରାଇଥିଲେ।

ଏହି ଗଣ୍ଡଗୋଳରେ ରାଜକିଶୋର ନାୟକ ନାମକ ଅନ୍ୟ ଜଣେ ଗ୍ରାମବାସୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ବା ପୁନର୍ବାର ଗଣ୍ଡଗୋଳ ନଘଟେ, ସେଥିପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ସତର୍କ ଦୃଷ୍ଟି ରଖାଯାଇଛି। ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଆକ୍ରମଣ ପଛର ପ୍ରକୃତ କାରଣ ଏବଂ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ପୋଲିସ ପଚରାଉଚରା ଚଳାଇଛି।