ଭୁବନେଶ୍ୱର: ରାଜ୍ୟରେ ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ଓ ଯତ୍ନ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଡିଜିଟାଲ୍ ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୭୨,୦୦୦ରୁ ଅଧିକ ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ଆବଣ୍ଟନ କରିଛନ୍ତି।
ରାଜ୍ୟ ସରକାରଙ୍କ କାର୍ଯ୍ୟକାଳର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏହି ମେଗା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨,୮୦୨ ଜଣ ସୁପରଭାଇଜର ଏବଂ ୩୩୮ ଜଣ ବ୍ଲକ୍ ସଂଯୋଜକଙ୍କୁ ମଧ୍ୟ ଡିଜିଟାଲ୍ ଡିଭାଇସ୍ ପ୍ରଦାନ କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ତୃଣମୂଳ ସ୍ତରରେ ଚାଲିଥିବା ଶିଶୁ ବିକାଶ ଓ ପୁଷ୍ଟିସାଧନ କାର୍ଯ୍ୟକ୍ରମର ସଠିକ୍ ତଥ୍ୟ ରିଅଲ୍-ଟାଇମ୍ ମନିଟରିଂ କରାଯାଇପାରିବ ଏବଂ ସେବା ଯୋଗାଣରେ ଅଧିକ ସ୍ୱଚ୍ଛତା ଆସିବ।
ସମନ୍ୱିତ ଶିଶୁ ବିକାଶ ସେବା (ICDS) ଯୋଜନାରେ କାର୍ଯ୍ୟରତ ସମ୍ମୁଖ ଭାଗର କର୍ମୀମାନଙ୍କ ମଧ୍ୟରେ ଏହା ଉତ୍ତମ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ। ଭୁବନେଶ୍ୱରରେ ନିର୍ମାଣ ହେବ ‘ଜନଶ୍ରୟ ଭବନ’ ଏହି ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ୱର ପାଇଁ ଅନେକ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ସବୁଠାରୁ ବଡ଼ ଘୋଷଣା ହେଉଛି ରାଜଧାନୀର ୟୁନିଟ୍-୨ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ନୂତନ ବିଶ୍ରାମ ଗୃହ ‘ଜନଶ୍ରୟ’।
ଏହା ସହିତ ଜନପଥରେ ଏକ ଭବ୍ୟ ୨୦ ମହଲା ବିଶିଷ୍ଟ ‘ଜନଶ୍ରୟ ଭବନ’ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି।ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ କାମରେ ଭୁବନେଶ୍ୱର ଆସୁଥିବା ଲୋକମାନଙ୍କୁ ଏହି ଭବନରେ ସୁରକ୍ଷିତ ଏବଂ ଶସ୍ତା ଦରରେ ସ୍ୱଳ୍ପ ଅବଧି ପାଇଁ ରହିବାର ସୁବିଧା ମିଳିବ। ପ୍ରାୟ ୮୭୪ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ଆଧୁନିକ ପ୍ରକଳ୍ପରେ ଏକ ସମୟରେ ପ୍ରାୟ ୨,୦୦୦ ଲୋକ ରହିପାରିବାର ବ୍ୟବସ୍ଥା କରାଯିବ।
ଏହି ବାର୍ଷିକୋତ୍ସବ ଅବସରରେ ସରକାର ରାଜଧାନୀର ଜନସାଧାରଣଙ୍କ ସୁବିଧା ଏବଂ ନାଗରିକ ସେବାର ଉନ୍ନତି ପାଇଁ ଆହୁରି ଅନେକ ସହରୀ ବିକାଶମୂଳକ ଯୋଜନାର ପର୍ଦ୍ଦାଫାଶ କରିଛନ୍ତି। ସରକାରଙ୍କ ଏହି ସମସ୍ତ ପଦକ୍ଷେପ ରାଜ୍ୟର ଡିଜିଟାଲ୍ କ୍ଷମତା ଏବଂ ଭିତ୍ତିଭୂମି ବିକାଶକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।




