ସାହାରନପୁର (ଉତ୍ତର ପ୍ରଦେଶ): ଦେଶର ବିଭିନ୍ନ ସୁରକ୍ଷା ଓ ଗୋଇନ୍ଦା ସଂସ୍ଥାର ଏକ ମିଳିତ ଅପରେସନରେ ଉତ୍ତର ପ୍ରଦେଶର ସାହାରନପୁର ଜିଲ୍ଲା ନାନୌତା ସହରରୁ ଜଣେ ଯୁବକକୁ ଆତଙ୍କବାଦୀ ସଂଗଠନ ସହ ସନ୍ଦିଗ୍ଧ ସମ୍ପର୍କ ଅଭିଯୋଗରେ ଅଟକ ରଖାଯାଇଛି। ମଧ୍ୟପ୍ରଦେଶ ଆଣ୍ଟି-ଟେରରିଜିମ୍ ସ୍କ୍ୱାଡ୍ (ATS), ଉତ୍ତର ପ୍ରଦେଶ ATS, ମିରଟ ସ୍ପେଶାଲ ଟାସ୍କ ଫୋର୍ସ (STF) ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ର ଏକ ମିଳିତ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଟକ ଯୁବକ ଜଣକ ନଈମ୍ ଅବଦୁଲ୍ଲା ବୋଲି ଚିହ୍ନଟ ହୋଇଛି।

ଶୁକ୍ରବାର ଦିନ ତାକୁ ଏକ ଗୋପନୀୟ ସ୍ଥାନକୁ ନିଆଯାଇ ଜେରା କରାଯାଉଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ତାର ଆନ୍ତର୍ଜାତୀୟ ସମ୍ପର୍କ ଏବଂ ଡିଜିଟାଲ୍ କାର୍ଯ୍ୟକଳାପ ଉପରେ ଦୀର୍ଘ ଦିନରୁ ନଜର ରଖାଯାଇଥିଲା। ଅପରେସନ୍ ବେଳେ ତାର ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇ ଫୋରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଛି। ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ରୁଜୁ ହୋଇଥିବା ଏକ ମାମଲା ସହ ତାର ସମ୍ପର୍କ ଥିବା ନେଇ ପଚରାଉଚରା ଚାଲିଛି। ଏହାପୂର୍ବରୁ ଶୁକ୍ରବାର ଦିନ ମଧ୍ୟପ୍ରଦେଶ ଏଟିଏସ୍ ଭୋପାଳରୁ ମହମ୍ମଦ ଫରାଜ୍ (୩୫) ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା। ସେ ବିଦେଶୀ ହ୍ୟାଣ୍ଡଲର୍‌ମାନଙ୍କ ସହ ଯୋଗାଯୋଗରେ ଥିବା ଏବଂ ‘ଲୋନ୍-ଉଲ୍ଫ’ ଆକ୍ରମଣ ଶୈଳୀ ଆପଣାଇବାକୁ ଚେଷ୍ଟା କରୁଥିବା ସନ୍ଦେହ କରାଯାଉଛି।

ଓଲ୍ଡ ଭୋପାଳର କାଜି କ୍ୟାମ୍ପ ଅଞ୍ଚଳରୁ ଅତ୍ୟନ୍ତ ଗୋପନୀୟ ଭାବେ ତାକୁ ଗିରଫ କରାଯାଇଥିଲା। ATS ସୂତ୍ର ଅନୁଯାୟୀ, ଫରାଜ୍ ଅତ୍ୟଧିକ ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ବିଦେଶରୁ ଆସୁଥିବା ଉଗ୍ରବାଦୀ ସାମଗ୍ରୀ ପଢୁଥିଲା। ତାର ମୋବାଇଲରୁ ପାକିସ୍ତାନରୁ ଉତ୍ପନ୍ନ ହୋଇଥିବା ଏକ ଜିହାଦୀ ସାହିତ୍ୟର ପିଡିଏଫ୍ ଫାଇଲ୍ ମିଳିଛି।

ସେ ଏକାକୀ ଏହି ଷଡ଼ଯନ୍ତ୍ର ରଚୁଥିଲା ନା କୌଣସି ବଡ଼ ନେଟୱର୍କର ଅଂଶ ଥିଲା, ସେ ନେଇ ତଦନ୍ତ ଚାଲିଛି। ସେ ବିଶେଷ ତାଲିମ ପାଇଁ ଆଫଗାନିସ୍ତାନ ଯିବାକୁ ଯୋଜନା କରୁଥିବା ଏବଂ ମାର୍ଶଲ ଆର୍ଟ ତାଲିମ ନେଉଥିବା ମଧ୍ୟ ଜଣାପଡ଼ିଛି। ସୁରକ୍ଷା ସଂସ୍ଥାଗୁଡ଼ିକ ପୂରା ମାମଲାର ତଦନ୍ତ ଶେଷ ହେବା ପରେ ଆନୁଷ୍ଠାନିକ ବ୍ୟାନ ପ୍ରକାଶ କରିବେ ବୋଲି କହିଛନ୍ତି।