ବିଶାଖାପାଟଣା: ଜୁନ୍ ୮ ତାରିଖରେ ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ଘଟିଥିବା ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଶନିବାର ଦିନ ଏମ୍‌ଜିଏମ୍ ସେଭେନ୍ ହିଲ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଚୁକ୍ତିଭିତ୍ତିକ ଶ୍ରମିକ ଜି. ସୁରିବାବୁ ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ ଜୁନ୍ ୧୦ରେ କାନ୍ଦୁଲା ପାଇଡିରାଜୁ ନାମକ ଅନ୍ୟ ଜଣେ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଆହତ ଶ୍ରମିକ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ରହିଛି।

ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (RINL) ର SMS-1 ୟୁନିଟ୍‌ରେ ପ୍ରାୟ ୧,୫୦୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାର ତରଳ ଷ୍ଟିଲ୍ ବହନ କରୁଥିବା ଏକ ଲାଡଲ୍ (Ladle) ବିସ୍ଫୋରଣ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା।ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଘଟଣାସ୍ଥଳ ପରିଦର୍ଶନ କରି ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଏବଂ ଆଇସିୟୁରେ ଥିବା ଗୁରୁତର ଆହତଙ୍କୁ ୧୦ ଲକ୍ଷ ଟଙ୍କା। ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ପ୍ଲାଣ୍ଟରେ ଚାକିରି। ସ୍ଥାୟୀ କର୍ମଚାରୀଙ୍କୁ ୧.୭୨ କୋଟି ଟଙ୍କା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୪୫.୭୫ ଲକ୍ଷ ଟଙ୍କା। ଆହତଙ୍କ ଚିକିତ୍ସା ଖର୍ଚ୍ଚ କମ୍ପାନୀ ବହନ କରିବ।

ଗାଜୁୱାକା ବିଧାୟକ ତଥା ଟିଡିପି ରାଜ୍ୟ ସଭାପତି ପଲ୍ଲା ଶ୍ରୀନିବାସ ରାଓ ହସ୍ପିଟାଲରେ ପହଞ୍ଚି ମୃତକଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରମିକମାନଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବାକୁ ସେ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର ଡିରେକ୍ଟର-ଇନ୍-ଚାର୍ଜଙ୍କ ନେତୃତ୍ୱରେ ଏକ ୩ ଜଣିଆ ବାହ୍ୟ ବିଶେଷଜ୍ଞ କମିଟି ଏହି ଦୁର୍ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ, ତଦନ୍ତ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ RINL ମ୍ୟାନେଜମେଣ୍ଟ ଷ୍ଟିଲ୍ ମେଲ୍ଟ ଶପ୍, ମ୍ୟାଟେରିଆଲ୍ ମ୍ୟାନେଜମେଣ୍ଟ ଏବଂ କ୍ୱାଲିଟି ଆସୁରାନ୍ସ ବିଭାଗର ୨୨ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି।