ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡା. ହରି ବାବୁ କମ୍ଭମପତିଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଏହି ବିଶେଷ ଅବସରରେ ରାଜ୍ୟପାଳଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ତିନି ନେତା ସୋସିଆଲ ମିଡିଆରେ ବାର୍ତ୍ତା ସେୟାର କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବାର୍ତ୍ତାରେ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି:

“ଆମ ରାଜ୍ୟର ବିକାଶ ଯାତ୍ରାରେ ଆପଣଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସୁଖ, ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ପ୍ରଦାନ କରନ୍ତୁ, ଏହା ସହିତ ଦେଶ ସେବା ପାଇଁ ଆପଣଙ୍କୁ ନିରନ୍ତର ଶକ୍ତି ଯୋଗାଇ ଚାଲନ୍ତୁ।”

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ କହିଛନ୍ତି:

“ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କୁ ଏହି ଶୁଭ ଅବସରରେ ମୋର ହାର୍ଦ୍ଦିକ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ। ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ଜୀବନ, ମଙ୍ଗଳ ଏବଂ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରୁଛି।”

ରାଜ୍ୟପାଳଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ସ୍ମରଣ କରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଲେଖିଛନ୍ତି:

“ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡା. ହରି ବାବୁ କମ୍ଭମପତିଙ୍କୁ ଜନ୍ମଦିନର ଆନ୍ତରିକ ଶୁଭେଚ୍ଛା। ଶିକ୍ଷା ଜଗତରୁ ଜନସେବା ପର୍ଯ୍ୟନ୍ତ ଆପଣଙ୍କର ଯାତ୍ରା ଆପଣଙ୍କ ଜ୍ଞାନ, ନମ୍ରତା ଏବଂ ନିଷ୍ଠାକୁ ପ୍ରତିଫଳିତ କରେ। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ଶକ୍ତି ଦିଅନ୍ତୁ, ଯଦ୍ୱାରା ଆପଣ ନିଜର ଦୂରଦୃଷ୍ଟି ଦ୍ୱାରା ଓଡ଼ିଶାକୁ ଏହିଭଳି ମାର୍ଗଦର୍ଶନ ଦେଉଥିବେ।”

ଓଡ଼ିଶାର ପ୍ରଶାସନିକ ଓ ରାଜନୈତିକ ମହଲରେ ରାଜ୍ୟପାଳଙ୍କ ଜନ୍ମଦିନକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ଏବଂ ବିଭିନ୍ନ ସ୍ତରରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।