ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାର ୯ଟି ଜିଲ୍ଲା ପାଇଁ ‘ନାଓକାଷ୍ଟ’ ବା ଜରୁରୀକାଳୀନ ସତର୍କତା ଜାରି କରିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ଜନିତ ପ୍ରବଳ ଝଡ଼ତୋଫାନ, ବଜ୍ରପାତ ଏବଂ ପବନ ବହିବାର ଆଶଙ୍କା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ଅପରାହ୍ନ ୧:୧୦ ମିନିଟରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

ସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଏହି ୯ଟି ଜିଲ୍ଲା ପାଇଁ ଜାରି ହେଲା ସତର୍କତା।

ଝଡ଼ତୋଫାନ ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଖୋଲା ସ୍ଥାନ କିମ୍ବା ଗଛ ମୂଳେ ନରହି, ପାଣିପାଗ ଉପରେ ନଜର ରଖିବାକୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।