ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନିସ୍ତିପୁର ଗାଁରେ ଏବେ ଭୂତ କିମ୍ବା ବରାହ ଭୟ ନୁହେଁ, ବରଂ ଏକ ବାଉଳା ମାଙ୍କଡ଼ ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଗତ କିଛି ଦିନ ହେବ ଏହି ହିଂସ୍ର ପ୍ରକୃତିର ମାଙ୍କଡ଼ଟି ଗାଁର ପ୍ରାୟ ୧୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିସାରିଲାଣି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମାଙ୍କଡ଼ଟି ହଠାତ ଗଳି ଏବଂ ଘର ଅଗଣାରେ ପଶି ଅତର୍କିତ ଭାବେ ଲୋକଙ୍କ ଉପରକୁ ଝାମ୍ପ ମାରୁଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଆଡ଼ପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ମାଙ୍କଡ଼ ଭୟରେ ଗ୍ରାମବାସୀ ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଜଣେ ଗ୍ରାମବାସୀ କହିଛନ୍ତି, “ଆମେ ସମ୍ପୂର୍ଣ୍ଣ ଆତଙ୍କିତ ଅବସ୍ଥାରେ ଅଛୁ, ମାଙ୍କଡ଼ଟି ସବୁଆଡେ ବୁଲୁଛି।”

ଖବର ପାଇ ପାଟପୁର ଫରେଷ୍ଟ ସେକ୍ସନର ଏକ ଟିମ୍ ଗାଁରେ ପହଞ୍ଚି ମାଙ୍କଡ଼କୁ ଘଉଡ଼ାଇବା ସହ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଚତୁର ମାଙ୍କଡ଼ଟି ବନ ବିଭାଗକୁ ଚକମା ଦେଇ ଖସି ପଳାଇଛି। ଏହାପରେ ବନ ବିଭାଗ ମାଙ୍କଡ଼କୁ କାବୁ କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜର (ଶାନ୍ତକାରୀ ଗୁଳି) ସ୍କ୍ୱାଡ୍‌ର ସହାୟତା ଲୋଡ଼ିଛି।

ବର୍ତ୍ତମାନ ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ଏବଂ ମାଙ୍କଡ଼କୁ ନ ଚିଡ଼ାଇବାକୁ ପରାମର୍ଶ ଦିଆଯାଇଛି। ସେପଟେ ଗାଁରେ ଏହି ସ୍ଥିତିକୁ ନେଇ କିଛି ଲୋକ ମଜାକ କରି କହୁଛନ୍ତି ଯେ ମାଙ୍କଡ଼ଟି ଏବେ ନିସ୍ତିପୁରର “ଅଘୋଷିତ ଶାସକ” ପାଲଟିଛି।