ଭୁବନେଶ୍ୱର: ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଜିଆରପି (GRP) କନେଷ୍ଟବଳ ସୌମ୍ୟରଞ୍ଚନ ସ୍ୱାଇଁଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ରିପୋର୍ଟରୁ ଏକ ବଡ଼ ଖୁଲାସା ହୋଇଛି। ଗଙ୍ଗୱାର କେବଳ ସୌମ୍ୟରଞ୍ଜନଙ୍କୁ ନୁହେଁ, ବରଂ ୮ରୁ ଅଧିକ କନଷ୍ଟେବଳଙ୍କୁ ନିଜର ବ୍ୟକ୍ତିଗତ ଏବଂ ଘରୋଇ କାର୍ଯ୍ୟରେ ବେଆଇନ ଭାବେ ଖଟାଉଥିଲେ। ସରକାରୀ ନିୟମକୁ ବେଖାତିର କରି ସେ ପୋଲିସ କର୍ମଚାରୀମାନଙ୍କୁ ନିଜ ଘର କାମରେ ଲଗାଇବା ସହ ମାନସିକ ନିର୍ଯାତନା ଦେଉଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ ଯେ, ନିକଟରେ କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ରହସ୍ୟଜନକ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସୌମ୍ୟଙ୍କୁ ସରକାରୀ ଡ୍ୟୁଟି ଛାଡ଼ି ଗଙ୍ଗୱାରଙ୍କ ବ୍ୟକ୍ତିଗତ ଜିମ୍‌ର ଦେଖାଶୁଣା କରିବା ଏବଂ ଘରୋଇ କାମ କରିବା ପାଇଁ ବାଧ୍ୟ କରାଯାଉଥିଲା, ଯାହା ଯୋଗୁଁ ସେ ପ୍ରବଳ ମାନସିକ ଚାପରେ ଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ପ୍ରଥମେ ଗଙ୍ଗୱାରଙ୍କୁ ଏଡିଜି (ADG) କମ୍ୟୁନିକେସନ ପଦରୁ ବଦଳି କରି ଗୃହ ବିଭାଗର ଓଏସଡି (OSD) ଭାବେ ନିଯୁକ୍ତି ଦେଇଥିଲେ।

ତେବେ ମାମଲାର ଗମ୍ଭୀରତା ଏବଂ କ୍ରାଇମବ୍ରାଞ୍ଚର ପ୍ରାଥମିକ ତଥ୍ୟକୁ ଆଧାର କରି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ପଦକ୍ଷେପ ସ୍ୱରୂପ ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ପୋଲିସ ବିଭାଗରେ ଉଚ୍ଚ ପଦବୀର ଅପବ୍ୟବହାର କରି କନଷ୍ଟେବଳମାନଙ୍କୁ ଘରୋଇ ଚାକର ଭଳି ବ୍ୟବହାର କରିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ଆଗକୁ ଆହୁରି ଅନେକ ଗୁମର ଫିଟିବା ସହ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ସଂକେତ ମିଳିଛି।