ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଶ୍ରୀ ସେଠୀଙ୍କ ନିଜସ୍ୱ ତଥା ସମ୍ପର୍କୀୟଙ୍କ ମୋଟ ୭ଟି ସ୍ଥାନରେ ଏହି ସର୍ଚ୍ଚ ଅପରେସନ ଜାରି ରହିଛି।

ଜୟପୁର ସ୍ପେଶାଲ ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୭ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ୧୧ ଜଣ ଏଏସଆଇଙ୍କ ସମେତ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ସାମିଲ ଅଛନ୍ତି। କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଚାଲିଛି:

  • କୋରାପୁଟ ଜିଲ୍ଲା ଜୟପୁର ପାରାବେଡ଼ା ସ୍ଥିତ ଭଡ଼ାଘର।
  • ଖୋର୍ଦ୍ଧା ଜଟଣୀର ମାଢ଼ିପୁର ମୌଜାରେ ଥିବା ହାଇଟେକ ପ୍ଲାଜାର ଆବାସିକ ଫ୍ଲାଟ୍ (ନଂ- G/B.6-14)।
  • କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଜାହାଙ୍ଗର ଗ୍ରାମରେ ଥିବା ପୈତୃକ ବାସଭବନ।
  • କୋଟପାଡ଼ ସ୍ଥିତ ସରକାରୀ ବାସଭବନ।
  • କୋଟପାଡ଼ ବ୍ଲକ କାର୍ଯ୍ୟାଳୟରେ ଥିବା ସରକାରୀ ଚାମ୍ବର।
  • କୋରାପୁଟ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ଦୁଇଟି ଫାର୍ମହାଉସ୍‌।

ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ସମ୍ପତ୍ତିର ଆକଳନ ଚାଲିଛି। ଚଢ଼ାଉ ଶେଷ ହେବା ପରେ ଶ୍ରୀ ସେଠୀଙ୍କର କେତେ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିବ।