ର୍ସଚେନ୍ନାଇ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମୁକାବିଲା ଶନିବାର ଚେନ୍ନାଇରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳରେ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ସାମିଲ କରାଯାଇଛି। ଦୀର୍ଘଦିନ ପରେ ସେ ପୁନର୍ବାର ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ଫେରୁଛନ୍ତି।


ସୂଚନା ଅନୁଯାୟୀ, ୨୦୨୬ ଟ୍ବେଣ୍ଟି-୨୦ ବିଶ୍ୱକପ୍‌ ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମଅପ୍‌ ମ୍ୟାଚ୍‌ରେ ହର୍ଷିତଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହା ପରଠାରୁ ସେ ପେସାଦାର କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଦଳର ସଦସ୍ୟ ଥିଲେ ମଧ୍ୟ ସେ ପୂରା ଋତୁ ଖେଳିପାରିନଥିଲେ।


ତେବେ ବେଙ୍ଗାଲୁରୁସ୍ଥିତ ବିସିସିଆଇର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (COE)ରେ ପୁନଃଥଇଥାନ ପ୍ରକ୍ରିୟା ସଫଳତାର ସହ ସମାପ୍ତ କରିବା ପରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ତାଙ୍କ ଫେରା ଦଳର ବୋଲିଂ ଆକ୍ରମଣକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।


ପରିବର୍ତ୍ତିତ ଭାରତୀୟ ଦଳରେ ଅଧିନାୟକ ଶୁଭମନ ଗିଲ୍‌, ରୋହିତ ଶର୍ମା, ଉପଅଧିନାୟକ ଶ୍ରେୟସ ଆୟର, କେଏଲ୍‌ ରାହୁଲ, ଈଶାନ କିଶନ, ନୀତୀଶ କୁମାର ରେଡ୍ଡୀ, ୱାସିଂଟନ୍‌ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ପ୍ରିନ୍ସ ଯାଦବ, ଗୁରନୂର ବ୍ରାର, ହର୍ଷ ଦୁବେ, ଯଶସ୍ବୀ ଜୟସ୍ବାଲ ଓ ହର୍ଷିତ ରାଣା ସ୍ଥାନ ପାଇଛନ୍ତି।


ଶୃଙ୍ଖଳାରେ ଭାରତ ଆଗୁଆ ଥିବା ବେଳେ ଶେଷ ମ୍ୟାଚ୍‌ରେ ଦଳ ଆଧିପତ୍ୟ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି।