ଦେବଗଡ: ଦେବଗଡ ଜିଲ୍ଲାରେ ସୋମବାର ବଜ୍ରପାତ ତାଣ୍ଡବ ରଚିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଟିଥିବା ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତକମାନେ ହେଲେ ବସାଲଇ ପଞ୍ଚାୟତ କଟାସାହିର ଡୋଲାମଣୀ ପେଣ୍ଢେଇ, ପିଟାସାହିର ବୁବୁନ ସାମଲ ଏବଂ ଦେବଗଡ ପୌରାଞ୍ଚଳ ମିରଗିଡିଆ ସାହିର ରାଜା କାଣ୍ଡୁଳାନା।

ସୂଚନା ଅନୁଯାୟୀ, ଡୋଲାମଣୀ, ବୁବୁନ ଏବଂ ଅନ୍ୟ ୪ ଜଣ ଯୁବକ ୩ଟି ବାଇକ୍‌ରେ ଭାଟସିଂ ଗ୍ରାମକୁ ଯାଇଥିଲେ। ଫେରୁଥିବା ବେଳେ ବର୍ଷା ଆରମ୍ଭ ହେବା ସହ ଭାଟସିଂ ନିକଟରେ ହଠାତ୍ ବଜ୍ରପାତ ଘଟିଥିଲା। ଏହି ବଜ୍ରାଘାତ ସିଧାସଳଖ ସେମାନଙ୍କ ବାଇକ୍‌ ଉପରେ ପଡ଼ିଥିଲା।

ଏଥିରେ ଡୋଲାମଣୀ ଓ ବୁବୁନ ବସିଥିବା ବାଇକ୍‌ଟି ଜଳିଯାଇଥିବାବେଳେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସାଙ୍ଗରେ ଥିବା ଅନ୍ୟମାନେ ମଧ୍ୟ ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନ୍ୟ ଏକ ଘଟଣାରେ, ପତ୍ରାପାଲି ସାହିରେ ରାଜା କାଣ୍ଡୁଳାନା ଓ ତାଙ୍କ ସ୍ତ୍ରୀ ବର୍ଷା କାଣ୍ଡୁଳାନା ଘରେ ଥିବାବେଳେ ବଜ୍ରପାତ ହୋଇଥିଲା। ଏଥିରେ ରାଜାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ବର୍ଷା ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି।

ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ସହ ଆହତମାନଙ୍କୁ ସମସ୍ତ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି।