ନୂଆପଡ଼ା: ଓଡ଼ିଶାର ନୂଆପଡ଼ା ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ଚାଷୀମାନଙ୍କର ବ୍ୟବସ୍ଥାଗତ ସମସ୍ୟା ଓ ମାନସିକ ଚାପକୁ ପଦାରେ ପକାଇଛି। ଟୋକନ୍ ପାଇବା ସତ୍ତ୍ୱେ ଧାନ ବିକ୍ରି ନହେବାରୁ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁର ଚାଷୀ ନେପାଳ ମାଝୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜଡ଼ାମୁଣ୍ଡା ଗୋଲେଇ ପଡ଼ାର ନେପାଳ ଚଳିତ ରବିଋତୁରେ ୩ ଏକର ଜମିରେ ଧାନ ଓ ୨ ଏକର ଜମିରେ ଚିନାବାଦାମ ଚାଷ କରିଥିଲେ। ଧାନ ବିକ୍ରି ପାଇଁ ଆବେଦନ କରିବା ପରେ ଗତ ମେ’ ୩୦ ତାରିଖରେ ତାଙ୍କୁ ପାଖାପାଖି ୩୭ କ୍ବିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ୍ ମିଳିଥିଲା। ତେବେ ଟୋକନ୍ ମିଳିବାର ୨୪ ଦିନ ବିତିଯାଇଥିଲେ ମଧ୍ୟ ବିଭିନ୍ନ କାରଣରୁ ସେ ଧାନ ବିକ୍ରି କରିପାରି ନଥିଲେ।

ଧାନ ବିକ୍ରି ନହେବା ଫଳରେ ଟ୍ରାକ୍ଟର ଏବଂ ଥେସର ମେସିନର ଭଡ଼ା ପାଉଣା ଦେବା, ପରିବାର ପ୍ରତିପୋଷଣ କରିବା ଏବଂ ୩ଟି ଛୁଆଙ୍କ ପାଠପଢ଼ା ଖର୍ଚ୍ଚକୁ ନେଇ ନେପାଳ ଗଭୀର ମାନସିକ ଚାପରେ ଥିଲେ। ସୋମବାର ଦିନ ଜଡ଼ାମୁଣ୍ଡା ମଣ୍ଡିର ଅନ୍ୟ ଚାଷୀମାନଙ୍କ ସହ ନେପାଳ ମଧ୍ୟ ଧାନ ବିକ୍ରି ଦାବିରେ ସିଏସଓ (CSO) ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ।

ଅପରାହ୍ନରେ ଘରକୁ ଫେରିବା ପରେ ଆର୍ଥିକ ଅଭାବକୁ ନେଇ ପରିବାର ଲୋକଙ୍କ ସହ ତାଙ୍କର ବାକ୍‌ବିତଣ୍ଡା ହୋଇଥିଲା। “ଧାନ ବିକ୍ରି ହେଉନି, ଟଙ୍କା କେଉଁଠୁ ଆସିବ? ଟଙ୍କା ଆସିଲେ ସିନା ଧାରଉଧାର ଶୁଝିବି” ବୋଲି କହି ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ।

ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ପୁଲିସ୍ ଏହି ଘଟଣାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି କରିବା ସହ ମଣ୍ଡି ବ୍ୟବସ୍ଥାର ତ୍ରୁଟିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇ ଦେଇଛି।