ଭୁବନେଶ୍ୱର: ଓଡ଼ିଶାରେ ରେଳ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ପୂର୍ବତଟ ରେଳପଥର ୬୩୧ ରୁଟ୍ କିଲୋମିଟର (RKm) ମଧ୍ୟରେ ସ୍ୱଦେଶୀ ସ୍ୱୟଂଚାଳିତ ଟ୍ରେନ ସୁରକ୍ଷା ପ୍ରଣାଳୀ ‘କବଚ’ (Kavach) ସଂଯୋଗୀକରଣକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଏହାକୁ ଓଡ଼ିଶାର ରେଳ ସୁରକ୍ଷା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଅଭିହିତ କରିଛନ୍ତି।
ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ଅଧୀନରେ ପୂର୍ବତଟ ରେଳପଥର ୬ଟି ପ୍ରମୁଖ ସେକ୍ସନକୁ ସାମିଲ କରାଯାଇଛି:
- ବାଘୁଆପାଳ-ବୁଢ଼ାପଙ୍କ
- ହରିଦାସପୁର-ପାରାଦୀପ
- ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର
- ନାଉପଡ଼ା-ଗୁଣୁପୁର
- ଲାଞ୍ଜିଗଡ଼ ରୋଡ୍-ଜୁନାଗଡ଼
- ବୋବିଲି-ସାଲୁର
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଏକ୍ସ (X) ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି ଯେ, ଏହି ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଟ୍ରେନ ଦୁର୍ଘଟଣା ଆଶଙ୍କା ହ୍ରାସ ପାଇବ, ଯାତ୍ରୀ ସୁରକ୍ଷା ଅଧିକ ସୁଦୃଢ଼ ହେବ ଏବଂ ରେଳ ସେବା ଅଧିକ ନିର୍ଭରଯୋଗ୍ୟ ହୋଇପାରିବ। ଏହି ସ୍ୱଦେଶୀ ଜ୍ଞାନକୌଶଳ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ।
ଏହି ସୁରକ୍ଷା ବ୍ୟବସ୍ଥାର ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଭାରତୀୟ ରେଳବାଇ ଦ୍ୱାରା ପ୍ରସ୍ତୁତ ‘କବଚ’ ପ୍ରଣାଳୀ ଟ୍ରେନ୍ଗୁଡ଼ିକର ମୁହାଁମୁହିଁ ଧକ୍କା ଏବଂ ଓଭର-ସ୍ପିଡିଂକୁ ରୋକିବାରେ ସଫଳ ହୋଇଥାଏ।




