ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁରରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏହି ଦୁଃଖଦ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତ ଶ୍ରମିକଙ୍କ ପରିବାର ପାଇଁ ସହାୟତା ରାଶିକୁ ୪ ଲକ୍ଷ ଟଙ୍କାରୁ ବଢ଼ାଇ ୧୦ ଲକ୍ଷ ଟଙ୍କା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ପ୍ରତ୍ୟେକ ମୃତ ଶ୍ରମିକଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ଏହି ଆର୍ଥିକ ସହାୟତା ଦିଆଯିବ।

ଗ୍ୟାସ୍‌ ଟ୍ରାଜେଡିରେ ଆଜି ଆଉ ଦୁଇ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲାର ସଜନୀ ଜୁଆଙ୍ଗ ଓ ଜାମୁନି ଜୁଆଙ୍ଗ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଜାମୁନିଙ୍କ ଘର ତେଲକୋଇ ବ୍ଲକ୍‌ର ଟାଙ୍ଗିରି ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କେବଳ ଟାଙ୍ଗିରି ଗାଁରୁ ୧୮ ଜଣ ଶ୍ରମିକ କାରଖାନାରେ କାମ କରିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ସମୁଦାୟ ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୯କୁ ପହଞ୍ଚିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ସରକାର ଶ୍ରମ ବିଭାଗ ଓ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖିଛନ୍ତି। ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପରେ ସମ୍ମାନର ସହ ଜନ୍ମଭୂମିକୁ ଆଣିବା ପାଇଁ ବ୍ୟବସ୍ଥା ହେଉଛି।

ଏହା ସହ ଓଡ଼ିଶାର ଏକ ଅଧିକାରୀ ଦଳ ଚେନ୍ନାଇ ଓ ତିରୁଭଲ୍ଲୁରରେ ରହି ଚିକିତ୍ସାଧୀନ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖୁଛନ୍ତି। କେତେକ ଆହତଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ଥିବାରୁ ଚିକିତ୍ସା ଜାରି ରହିଛି।

ଅନ୍ୟପଟେ ପ୍ରାୟ ୧୩୦ ଜଣ ଶ୍ରମିକଙ୍କୁ ନିକଟସ୍ଥ କମ୍ୟୁନିଟି ହଲ୍‌ରେ ରଖାଯାଇ ସେମାନଙ୍କ ପାଇଁ ଖାଦ୍ୟ ଓ ଆବଶ୍ୟକ ସୁବିଧାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ସମଗ୍ର ପରିସ୍ଥିତି ଉପରେ ନଜର ରଖିଛନ୍ତି।