ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଏକ ସମ୍ବେଦନଶୀଳ ତଥା ଚାଞ୍ଚଲ୍ୟକର ପ୍ରତାରଣା ମାମଲା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ବ୍ଲାକମେଲିଂ, ଟଙ୍କା ଆଦାୟ ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ପୋଲିସ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ଡାକ୍ତର ଅବିନାଶ ମହାନ୍ତିଙ୍କୁ ଗିରଫ କରିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟର ଏକ ହୋଟେଲରୁ ପୋଲିସ ତାଙ୍କୁ କାବୁ କରିଛି।

ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ମହିଳା ଜଣକ ନିଜ ପାରିବାରିକ ବିବାଦ ସମୟରେ ସୋସିଆଲ ମିଡିଆରେ କିଛି ଭାବପ୍ରବଣ ପୋଷ୍ଟ କରିଥିଲେ। ଏହାର ସୁଯୋଗ ନେଇ ଡାକ୍ତର ମହାନ୍ତି ତାଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିଥିଲେ। ନିଜକୁ ଜଣେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ଓ ଶୁଭେଚ୍ଛୁ ଭାବେ ପରିଚୟ ଦେଇ ସେ ଧୀରେ ଧୀରେ ମହିଳାଙ୍କ ବିଶ୍ୱାସ ଜିତିଥିଲେ ଏବଂ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଗଢ଼ିଉଠିଥିଲା।

ଅଭିଯୋଗ ମୁତାବକ, ଡାକ୍ତର ମହାନ୍ତି ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଗୋପନରେ ରେକର୍ଡ କରି ରଖିଥିଲେ। ପରେ ପ୍ରେମ ଏବଂ ବିବାହର ପ୍ରଲୋଭନ ଦେଖାଇ ସେ ମହିଳାଙ୍କଠାରୁ ସୁନା ଗହଣା, ଲକ୍ଷାଧିକ ଟଙ୍କା, ଆଇଫୋନ୍ ସମେତ ଅନେକ ମୂଲ୍ୟବାନ ସାମଗ୍ରୀ ହଡ଼ପ କରିଥିଲେ। ଏପରିକି ଉଭୟ ଦୁବାଇ ମଧ୍ୟ ବୁଲିବାକୁ ଯାଇଥିଲେ, ଯାହାର ସମସ୍ତ ଖର୍ଚ୍ଚ ମହିଳା ଜଣକ ବହନ କରିଥିଲେ। ତେବେ ସେଠାରେ ଡାକ୍ତରଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ଜଣାପଡ଼ିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାକୁ ନେଇ ପ୍ରତିବାଦ କରିବାରୁ ଅଭିଯୁକ୍ତ ଡାକ୍ତର ଉକ୍ତ ଆପତ୍ତିଜନକ ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦେବା ସହ ଜୀବନରୁ ମାରିଦେବାକୁ ଚେତାବନୀ ଦେଇଥିଲେ।

ଏ ନେଇ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାକଚ ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ପୋଲିସ ଏହି ଘଟଣାର ଅଧିକ ଛାନ୍‌ଭିନ୍ ଜାରି ରଖିଛି।