ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସମ୍ଭାବ୍ୟ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ରାଜନୈତିକ ମହଳରେ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି।
ସୂଚନା ଅନୁଯାୟୀ, ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବ ପରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଯଦିଓ ବୈଠକର ଆଲୋଚ୍ୟ ବିଷୟ ସମ୍ପର୍କରେ ଆଧିକାରିକ ଭାବେ କୌଣସି ସୂଚନା ସାମ୍ନାକୁ ଆସିନାହିଁ, ତଥାପି ଚାଲିଥିବା ରାଜନୈତିକ ପରିବର୍ତ୍ତନ ଓ ସଂଗଠନୀୟ ନିଯୁକ୍ତିକୁ ନେଇ ଏହାକୁ ଗୁରୁତ୍ୱ ଦିଆଯାଉଛି।
ଉଲ୍ଲେଖଯୋଗ୍ୟ, ନିକଟ ଦିନଗୁଡ଼ିକରେ ଅନେକ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ ସଂଗଠନରେ ନୂତନ ଦାୟିତ୍ୱ ଦିଆଯାଇଥିବାରୁ ମନ୍ତ୍ରିମଣ୍ଡଳ ପୁନର୍ଗଠନ ନେଇ ଚର୍ଚ୍ଚା ବୃଦ୍ଧି ପାଇଛି।
ମେ’ ୨୮ ତାରିଖରେ ବିଜେପି ଜାତୀୟ ସଭାପତି ନୀତିନ ନବୀନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ହର୍ଷ ମଲହୋତ୍ରାଙ୍କୁ ଦିଲ୍ଲୀ ବିଜେପି ଶାଖାର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ।
ସେହିପରି, କେନ୍ଦ୍ର ଅର୍ଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧାରୀଙ୍କୁ ଗତବର୍ଷ ଡିସେମ୍ବରରେ ଉତ୍ତରପ୍ରଦେଶ ବିଜେପିର ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା।
ଏହା ସହ କେରଳର ବରିଷ୍ଠ ବିଜେପି ନେତା ଜର୍ଜ କୁରିଅନଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ସେ ପଦତ୍ୟାଗ କରିଥିବା ଏବଂ ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ଘଟଣା ମଧ୍ୟ ରାଜନୈତିକ ଚର୍ଚ୍ଚାକୁ ଆହୁରି ତେଜ କରିଛି।
ଏହି ସମସ୍ତ ଘଟଣାକ୍ରମ ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ କିଛି ବଡ଼ ପରିବର୍ତ୍ତନ ହେବ କି ନାହିଁ, ତାହା ନେଇ ଏବେ ରାଜନୈତିକ ମହଳର ନଜର ଦିଲ୍ଲୀ ଉପରେ ରହିଛି।




