ନୂଆଦିଲ୍ଲୀ: ନିଟ୍-ୟୁଜି ପୁନଃପରୀକ୍ଷା ସମ୍ପନ୍ନ ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଶିବିର ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ନିଟ୍ ପ୍ରସଙ୍ଗକୁ ନେଇ ଚାଲିଥିବା ଆନ୍ଦୋଳନ ଓ ବିରୋଧକୁ ସମାଲୋଚନା କରି ସେ କହିଛନ୍ତି ଯେ କିଛି ଶକ୍ତି ଦେଶର ଶିକ୍ଷା ବ୍ୟବସ୍ଥା ଓ ପ୍ରଗତିକୁ ବାଧା ଦେବାକୁ ଚେଷ୍ଟା କରୁଛନ୍ତି।
ଏକ ସାକ୍ଷାତକାରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କିଛି ଗୋଷ୍ଠୀ ଛଦ୍ମବେଶରେ ଆସି ବ୍ୟବସ୍ଥାକୁ ଅସ୍ଥିର କରିବାକୁ ଉଦ୍ୟମ କରୁଛନ୍ତି। ଗଣତନ୍ତ୍ରରେ ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ଲୋକମାନେ ଏବେ ନୂଆ ରୂପରେ ଆସି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ନିଟ୍ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପୂର୍ବ ପରୀକ୍ଷା ବାତିଲ ହୋଇଥିଲା ଏବଂ ରବିବାର ଦେଶର ପ୍ରାୟ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପୁନଃପରୀକ୍ଷା ଦେଇଥିଲେ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଶିବିର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଥିଲା।
ଶିକ୍ଷାମନ୍ତ୍ରୀ ଦାବି କରିଛନ୍ତି ଯେ ପୁନଃପରୀକ୍ଷା ସଫଳ ଭାବେ ସମ୍ପନ୍ନ ହୋଇଛି ଏବଂ ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ବିଶ୍ୱସନୀୟ କରିବାକୁ ସରକାର ପ୍ରତିବଦ୍ଧ।
ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ୍ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିରୋଧୀଙ୍କର ପ୍ରଶ୍ନ ଉଠାଇବାର ଅଧିକାର ଅଛି, କିନ୍ତୁ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଓ ଅନିଶ୍ଚିତତା ସୃଷ୍ଟି କରିବା ଠିକ୍ ନୁହେଁ। ସେ ଅଭିଯୋଗ କରିଛନ୍ତି ଯେ ନିଟ୍ ପୁନଃପରୀକ୍ଷା ବିଫଳ ହେଉ ବୋଲି କିଛି ରାଜନୈତିକ ଉଦ୍ଦେଶ୍ୟରେ ପ୍ରୟାସ କରାଯାଉଥିଲା।
ଏହା ସହ ଧର୍ମେନ୍ଦ୍ର ପ୍ରଧାନ ମୋଦୀ ସରକାରଙ୍କ ଶିକ୍ଷା କ୍ଷେତ୍ରର ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟାନ୍ବୟନ ସହ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ, ନୂଆ ଶିକ୍ଷାନୁଷ୍ଠାନ ଏବଂ ନବସୃଷ୍ଟିମୂଳକ ପ୍ଲାଟଫର୍ମକୁ ପ୍ରୋତ୍ସାହନ ଦିଆଯାଉଛି।




