ୱାସିଂଟନ: ଆମେରିକାର ଜଣେ ଫେଡେରାଲ ବିଚାରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ବିବାଦୀୟ ଡାଟାବେସ୍କୁ ବେଆଇନ ଘୋଷଣା କରି ରଦ୍ଦ କରିଛନ୍ତି। ଏହି ଡାଟାବେସ୍ରେ ଆମେରିକୀୟ ନାଗରିକଙ୍କ ଗୋପନୀୟ ସୂଚନା ସଂଗ୍ରହ ଓ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଥିଲା।
ରାୟରେ ବିଚାରପତି ସ୍ପାର୍କଲ ସୁକନାନନ କହିଛନ୍ତି ଯେ, ଏହି ପ୍ରକ୍ରିୟା ମାଧ୍ୟମରେ ସରକାର ନାଗରିକଙ୍କ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରିଛନ୍ତି ଏବଂ ଏହା ଭୋଟ ଦେବା ଭଳି ମୌଳିକ ଅଧିକାରକୁ ବିପଦରେ ପକାଇଛି। କୋର୍ଟ ଏଭଳି ଘଟଣାକୁ ଅନଦେଖା କରିପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି।
ବିଚାରପତିଙ୍କ କହିବା ଅନୁଯାୟୀ, ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ନାମରେ ଫେଡେରାଲ ଏଜେନ୍ସିମାନେ ତରବରିଆ ଭାବେ ଲକ୍ଷ ଲକ୍ଷ ନାଗରିକଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ କରିଥିଲେ। ସେଥିରେ ନାଗରିକତ୍ୱ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଥିଲା, ଯାହାର ସଠିକତା ନେଇ ପୂର୍ବରୁ ପ୍ରଶ୍ନ ଉଠିଥିଲା।
ରାୟରେ ଆହୁରି କୁହାଯାଇଛି ଯେ, କିଛି ରାଜ୍ୟ ଏହି ଡାଟାବେସ୍ ବ୍ୟବହାର କରି ଭୁଲ କିମ୍ବା ଅପୂର୍ଣ୍ଣ ତଥ୍ୟ ଆଧାରରେ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରୁ ବାଦ୍ ଦେଉଥିଲେ। ଏହା ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥିବା କୋର୍ଟ ମନେ କରିଛନ୍ତି।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୦୨୫ରେ ଟ୍ରମ୍ପ ପ୍ରଶାସନ ସଂଘୀୟ ନିର୍ବାଚନରେ ଭୋଟ ପଞ୍ଜିକରଣ ପାଇଁ ନାଗରିକତା ପ୍ରମାଣପତ୍ର ବାଧ୍ୟତାମୂଳକ କରିବା ଏବଂ ଭୋଟରଙ୍କ ନାଗରିକତା ଓ ପ୍ରବାସ ସ୍ଥିତି ଯାଞ୍ଚ ପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା ଗଠନ କରିବାକୁ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିଥିଲେ। ଏହାକୁ ନେଇ ସେତେବେଳୁ ଗୋପନୀୟତା ଓ ଭୋଟ ଅଧିକାର ସମ୍ପର୍କିତ ଚର୍ଚ୍ଚା ଜୋର ଧରିଥିଲା।




