ରାଞ୍ଚି: ଝାଡ଼ଖଣ୍ଡ ପ୍ରିମିୟର ଲିଗ୍ (JPL) ର ଫାଇନାଲ୍ ଟି-୨୦ ମ୍ୟାଚ୍ ବେଳେ ଧୁରୱାସ୍ଥିତ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍ ଆସୋସିଏସନ (JSCA) ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ପାଇଁ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରି ସ୍ଥିତି ସୃଷ୍ଟି ହୋଇଛି, ଯେଉଁଥିରେ ଅନେକ ଦର୍ଶକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ହଜାର ହଜାର କ୍ରିକେଟ୍ ପ୍ରେମୀ ଷ୍ଟାଡିୟମରେ ପହଞ୍ଚିଥିଲେ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମର ପଶ୍ଚିମ ଗେଟ୍ (West Gate) ନିକଟରେ ହଠାତ୍ ଭିଡ଼ ବଢ଼ିଯାଇଥିଲା। ସେଠାରେ ଧୀମା ପ୍ରବେଶ ପ୍ରକ୍ରିୟା ଏବଂ ସୁରକ୍ଷା ଯାଞ୍ଚରେ ବିଳମ୍ବ ଯୋଗୁଁ ଦୀର୍ଘ ଲାଇନ୍ ଲାଗିଥିଲା। ପଛରୁ ଲୋକଙ୍କ ଚାପ ବଢ଼ିବାରୁ ପରସ୍ପର ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଆଶାନ୍ତ ପରିବେଶ ସୃଷ୍ଟି କରିଥିଲା।
ଏହି ସ୍ଥିତିରେ ଅଣାୟତ୍ତ ହୋଇ ଉତ୍ତ୍ୟକ୍ତ ଦର୍ଶକ ସୁରକ୍ଷା କର୍ଡନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ଯାହାଦ୍ୱାରା ପଶ୍ଚିମ ଗେଟ୍ ଏବଂ ବାରିକେଡିଂର କିଛି ଅଂଶ ଭାଙ୍ଗିଯାଇଛି। ସ୍ଥିତି ବିଗିଡ଼ିବା ଦେଖି ପୋଲିସ ଓ ପ୍ରଶାସନିକ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅତିରିକ୍ତ ସୁରକ୍ଷା ବଳ ସହାୟତାରେ ଭିଡ଼କୁ ନିୟନ୍ତ୍ରଣ କରିଥିଲେ। ଆହତଙ୍କ ମଧ୍ୟରୁ ଜଣେ ଯୁବକ ଓ ଦୁଇ ଜଣ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ରାଞ୍ଚିର ରାଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣାକୁ ନେଇ ଝାଡ଼ଖଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରୀ ଇରଫାନ ଅନସାରୀ ନିଜର ଅଫିସିଆଲ୍ X ଆକାଉଣ୍ଟରେ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ, ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ, ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସିଭିଲ ସର୍ଜନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୟ ମତେ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି ଏବଂ ହସ୍ପିଟାଲଗୁଡ଼ିକୁ ମଧ୍ୟ ଆଲର୍ଟରେ ରଖାଯାଇଛି। ମନ୍ତ୍ରୀ ନିଜେ ଏହି ସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଷ୍ଟାଡିୟମ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ଘଟଣା ବଡ଼ ଧରଣର ସର୍ବସାଧାରଣ କାର୍ଯ୍ୟକ୍ରମରେ ଜନଗହଳି ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।




