ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କଥିତ ପାଣ୍ଠି ହେରଫେର ଓ ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ତଦନ୍ତକୁ ଆହୁରି ଜୋରଦାର କରିଛି। ଏହି କ୍ରମରେ ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟ, ପୂର୍ବତନ ଟ୍ରଷ୍ଟି ଅନିଲ ମିଶ୍ର ଓ ଗୋପାଳ ରାଓଙ୍କୁ ଦ୍ୱିତୀୟ ଥର ପାଇଁ ପଚରାଉଚରା କରାଯାଇଛି। ପାଣ୍ଠି ଦୁର୍ବ୍ୟବହାର ଅଭିଯୋଗ ଉଠିବା ପରେ ଏହି ତିନିଜଣ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ।

ତଦନ୍ତ ସମୟରେ ଏସ୍‌ଆଇଟି ସେମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି, ଆୟର ଉତ୍ସ ଏବଂ ସ୍ଥାବର-ଅସ୍ଥାବର ସମ୍ପତ୍ତିର ବିସ୍ତୃତ ବିବରଣୀ ମାଗିଛି। ସମ୍ପର୍କିତ ସମସ୍ତ ଆଇନଗତ ଦସ୍ତାବିଜ ମଧ୍ୟ ଦାଖଲ କରିବାକୁ ସେମାନଙ୍କୁ କୁହାଯାଇଛି। ମନ୍ଦିର ନିର୍ମାଣ ଓ ଜମି କ୍ରୟ-ବିକ୍ରୟ ପ୍ରକ୍ରିୟାରେ କମିସନ କାରବାର ଏବଂ କିଛି ବ୍ୟକ୍ତିଙ୍କୁ ବେଆଇନ ସୁବିଧା ଦିଆଯାଇଥିବା ଅଭିଯୋଗକୁ ମଧ୍ୟ ଏସ୍‌ଆଇଟି ଖତିଆନ କରୁଛି। ବିଶେଷ କରି ଅନିଲ ମିଶ୍ର ଓ ଗୋପାଳ ରାଓଙ୍କୁ ଦୀର୍ଘ ସମୟ ଧରି ଜେରା କରାଯାଇଥିବା ସୂଚନା ମିଳିଛି।

ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଅବିନାଶ ଶୁକ୍ଳା ପୁଲିସ ସମ୍ମୁଖରେ କରିଥିବା ସ୍ୱୀକାରୋକ୍ତିରେ ଦାବି କରିଛି ଯେ, ମନ୍ଦିର ପାଣ୍ଠିରୁ ଆତ୍ମସାତ କରାଯାଇଥିବା ଅର୍ଥକୁ ସେ ଓ ତାଙ୍କ ସହଯୋଗୀମାନେ ମନ୍ଦିର ନିକଟସ୍ଥ ଏକ ପାର୍କରେ ବାଣ୍ଟି ନେଇଥିଲେ। ଏହି ସୂଚନା ଆଧାରରେ ଏସ୍‌ଆଇଟି ଅଭିଯୁକ୍ତଙ୍କୁ ନେଇ ଭିକାପୁର ନିକଟରେ ଥିବା ସେହି ସ୍ଥାନରେ ଘଟଣାର ପୁନଃନିର୍ମାଣ (ସିନ୍ ରିକ୍ରିଏସନ୍) କରିଛି।

ଏପଟେ ମାମଲାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି। କେବଳ ସୁରକ୍ଷା ଦାୟିତ୍ୱରେ ଥିବା ଏକ ବେସରକାରୀ ସଂସ୍ଥାର କର୍ମଚାରୀଙ୍କୁ କିପରି ନଗଦ ଟଙ୍କା ଗଣନା ଭଳି ସ୍ପର୍ଶକାତର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା, ସେ ନେଇ ଏସ୍‌ଆଇଟି ବ୍ୟାଙ୍କ ଅଧିକାରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି। ତଦନ୍ତରେ ଦୋଷ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।