ଇସଲାମାବାଦ: ପାକିସ୍ତାନରେ ଦୁଇ ବିଦେଶୀ ମହିଳାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ମାମଲାରେ ଏକ ନୂଆ ମୋଡ଼ ଆସିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି ହାଇ-ପ୍ରୋଫାଇଲ୍ ଘଟଣା ପଛରେ କ୍ରିପ୍ଟୋକରେନ୍ସି ଜନିତ ଆର୍ଥିକ ବିବାଦ ଥିବା ପୋଲିସ ସନ୍ଦେହ କରୁଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରଜା ଦାର୍, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର୍ଙ୍କ ସମ୍ପର୍କୀୟ (ନାତି) ବୋଲି ଜଣାପଡ଼ିଛି।
ଜଣେ ପୀଡ଼ିତା କୋର୍ଟରେ ଦେଇଥିବା ବୟାନ ଅନୁଯାୟୀ, ମୁକ୍ତି ପାଇବା ପାଇଁ ଅଭିଯୁକ୍ତ ରଜା ଦାର୍କୁ $୧୦୦,୦୦୦ (ପ୍ରାୟ ୮୩ ଲକ୍ଷରୁ ଅଧିକ ଟଙ୍କା) ଦିଆଯାଇଥିଲା। ପାକିସ୍ତାନୀ ଗଣମାଧ୍ୟମ ‘ଏଆରୱାଇ ନ୍ୟୁଜ୍’ ହାତରେ ଲାଗିଥିବା ବୟାନ କପି ଅନୁଯାୟୀ, ସେମାନେ ରହୁଥିବା ଘରେ କିଛି ସଶସ୍ତ୍ର ଦୁର୍ବୃତ୍ତ ପଶି ସେମାନଙ୍କୁ ଗୋଟିଏ ରୁମ୍ରେ ବନ୍ଦ କରିଦେଇଥିଲେ। ଏହାପରେ ରଜା ଦାର୍ କମ୍ପ୍ୟୁଟର ଏବଂ କ୍ରିପ୍ଟୋକରେନ୍ସି ଫଣ୍ଡ୍ର ଆକ୍ସେସ୍ ମାଗିଥିଲା। ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଇଥିଲା।
ପୀଡ଼ିତା ଜଣକ କହିଛନ୍ତି ଯେ ଟଙ୍କା ମାଗିବା ସହ ତାଙ୍କ ମୁଣ୍ଡକୁ ଆଘାତ କରାଯାଇଥିଲା। ବନ୍ଧକ ଥିବା ସମୟରେ ଦୁଇଜଣ ଅଭିଯୁକ୍ତ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ବେଳେ ବାହାରେ ଜଣେ ଜଗି ରହିଥିଲା। ସେ କାନ୍ଦିବାରୁ ଅଭିଯୁକ୍ତମାନେ ଚାପୁଡ଼ା ମାରି ଚୁପ୍ ରହିବାକୁ କହି ହସୁଥିଲେ।ଅଭିଯୁକ୍ତ ରଜା ଦାର୍ ପୀଡ଼ିତାଙ୍କ ମୋବାଇଲ୍ ବ୍ୟବହାର କରି ଟଙ୍କା ମାଗିବା ପରେ, ଅନ୍ୟ ଜଣେ ପୀଡ଼ିତାଙ୍କ ମା’ $୧୦୦,୦୦୦ ର ବ୍ୟବସ୍ଥା କରିଥିଲେ। ଟଙ୍କା ମିଳିବା ପରେ ସେମାନଙ୍କୁ ଛଡ଼ାଯାଇଥିଲା। ବିମାନବନ୍ଦର ଯିବା ବାଟରେ ଅଭିଯୁକ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ମହିଳା ଉଦ୍ଧାର ହୋଇଥିଲେ।
ନେଦରଲ୍ୟାଣ୍ଡ ଏବଂ ଭେନେଜୁଏଲାର ଏହି ଦୁଇ ମହିଳାଙ୍କୁ ଜୁନ୍ ୨୯ ରେ ଲାହୋରରୁ ଅପହରଣ କରାଯାଇ ଗଣଦୁଷ୍କର୍ମ କରାଯାଇଥିଲା। ପୋଲିସ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଜଣେ ଫରାର ଅଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗତବର୍ଷ ସିଙ୍ଗାପୁରରେ ଏକ କ୍ରିପ୍ଟୋକରେନ୍ସି ପ୍ରୋଜେକ୍ଟ ସମୟରେ ରଜା ଦାର୍ ଏହି ମହିଳାମାନଙ୍କୁ ଭେଟିଥିଲା ଏବଂ ସେହି ଉଦ୍ଦେଶ୍ୟରେ ସେମାନଙ୍କୁ ପାକିସ୍ତାନ ଆଣିବାକୁ ବିଜନେସ୍ ଭିସାର ବ୍ୟବସ୍ଥା କରିଥିଲା।




