କୋଲକାତା: ତୃଣମୂଳ କଂଗ୍ରେସ (TMC) ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ ଅସୁବିଧା ଆହୁରି ବଢ଼ିବାରେ ଲାଗିଛି। ସାଉଥ୍ ୨୪ ପ୍ରଗଣା ଜିଲ୍ଲାର ଡାଇମଣ୍ଡ ହାର୍ବର ଅନ୍ତର୍ଗତ ‘ସେବାଶ୍ରୟ’ ସ୍ୱାସ୍ଥ୍ୟ ଶିବିରରେ ହୋଇଥିବା ଅନିୟମିତତାକୁ ନେଇ ରବିବାର ପୋଲିସ ଅଭିଷେକ ଏବଂ ଅନ୍ୟମାନଙ୍କ ବିରୋଧରେ ଦ୍ୱିତୀୟ ଏଫଆଇଆର (FIR) ରୁଜୁ କରିଛି।

ସ୍ଥାନୀୟ ବିଜେପି ନେତା ଅଭିଜିତ ଦାସ (ବବି)ଙ୍କ ଅଭିଯୋଗ ଆଧାରରେ ବିଷ୍ଣୁପୁର ଥାନାରେ ଏହି ମାମଲା ରୁଜୁ ହୋଇଛି। ଅଭିଷେକ ବାନାର୍ଜୀ ନିଜ ନିର୍ବାଚନ ମଣ୍ଡଳୀ ଡାଇମଣ୍ଡ ହାର୍ବରର ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ଏହି ‘ସେବାଶ୍ରୟ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପୋଲିସ ସୂଚନା ଅନୁଯାୟୀ, ‘ସେବାଶ୍ରୟ’ ଏବଂ ‘ସେବାଶ୍ରୟ-୨’ ଶିବିର ବିରୋଧରେ ମୋଟ ୧୬ଟି ଅଭିଯୋଗ ଆସିଛି।ଶନିବାର ବିଳମ୍ବିତ ରାତିରେ ଭାରତୀୟ ନ୍ୟାୟ ସଂହିତା (BNS), ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ, ପିସିପିଏନଡିଟି (PCPNDT) ଆକ୍ଟ ଏବଂ ଜାତୀୟ ମେଡିକାଲ କମିଶନ (NMC) ଆକ୍ଟ ସମେତ ଏକାଧିକ ସଙ୍ଗୀନ ଧାରାରେ ଏହି ଏଫଆଇଆର ଦାୟର କରାଯାଇଛି।

ଏହି ମାମଲାରେ ଅଭିଷେକ ବାନାର୍ଜୀଙ୍କ ନାମ ମୁଖ୍ୟ ଅଭିଯୁକ୍ତ ଭାବେ ଶୀର୍ଷରେ ରହିଛି। ଏହା ବ୍ୟତୀତ ତାଙ୍କର ଫରାର ଥିବା କାର୍ଯ୍ୟନିର୍ବାହୀ ସହକାରୀ ସୁମିତ ରୟ, ଫାଲ୍‌ତା ଆସନର ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ଏବଂ ପୂର୍ବତନ ବିଧାୟକ ଦିଲୀପ ମଣ୍ଡଳଙ୍କ ସମେତ କେତେକ ସରକାରୀ କର୍ମଚାରୀ ଓ ଡାକ୍ତରଙ୍କ ନାମ ମଧ୍ୟ ଏଥିରେ ସାମିଲ ଅଛି। ଏମାନଙ୍କ ମଧ୍ୟରୁ ଜାହାଙ୍ଗୀର ଖାନ ଏବଂ ଦିଲୀପ ମଣ୍ଡଳ ଅନ୍ୟ ମାମଲାରେ ପୂର୍ବରୁ ଗିରଫ ହୋଇ ସାରିଛନ୍ତି।

ଅଭିଯୋଗକାରୀଙ୍କ ଅନୁଯାୟୀ, ଏହି ସ୍ୱାସ୍ଥ୍ୟ ଶିବିରଗୁଡ଼ିକ ପାଇଁ କୌଣସି ବୈଧ ଅନୁମତି ନିଆଯାଇନଥିଲା। ଏପରିକି ବ୍ୟବହୃତ ଔଷଧ ଏବଂ ମେଡିକାଲ ଉପକରଣ ପାଇଁ ମଧ୍ୟ ଅନୁମତି ନଥିବାରୁ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଯାଇଛି। ଏଥିସହ ଏହି କ୍ୟାମ୍ପ ପାଇଁ ପାଣ୍ଠି କେଉଁଠୁ ଆସିଲା, ସେ ନେଇ ପୋଲିସ ତଦନ୍ତ କରୁଛି। ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ପ୍ରତିକ୍ରିୟା ମିଳିନାହିଁ।