ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଶେଲ୍ସ ର ସର୍ବୋଚ୍ଚ ପରିବେଶ ସମ୍ମାନ ମିଳିବା ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଦେଇଥିବା ବିବାଦୀୟ ବୟାନ ଉପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ସରକାରୀ ସୂତ୍ରରୁ ଆସିଫ୍ଙ୍କୁ “ମାନସିକ ସ୍ତରରେ ଅସୁସ୍ଥ” ବୋଲି ଅଭିହିତ କରାଯିବା ସହ ଏଭଳି ଜଣେ ବ୍ୟକ୍ତିଙ୍କୁ ଏତେ ବଡ଼ ଦାୟିତ୍ୱ ଦେବା ପାକିସ୍ତାନର ବର୍ତ୍ତମାନର ସ୍ଥିତିକୁ ଦର୍ଶାଉଛି ବୋଲି କୁହାଯାଇଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, “ଖ୍ୱାଜା ଆସିଫ୍ ମାନସିକ ସ୍ତରରେ ଅସୁସ୍ଥ, ଏହା ସମସ୍ତେ ଜାଣନ୍ତି। ତାଙ୍କ ଭଳି ବ୍ୟକ୍ତିଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦ ମିଳିବା ଆଜିର ପାକିସ୍ତାନ ବିଷୟରେ ବହୁତ କିଛି କହିଥାଏ। ତାଙ୍କ ପାଖରେ କୌଣସି କାମ ନାହିଁ, ସେଥିପାଇଁ ଯେଉଁ ବିଷୟରେ ଜ୍ଞାନ ନାହିଁ ସେଥିରେ ସେ ମନ୍ତବ୍ୟ ଦେଉଛନ୍ତି। ଈର୍ଷା ସବୁବେଳେ ଏକ ଖରାପ ପ୍ରେରଣା ହୋଇଥାଏ, ବିଶେଷ କରି ଘୃଣାଭରା ଭାଷଣ ଦେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ସ୍ପଷ୍ଟ ଦେଖାଯାଏ।”
ନିକଟରେ ଜୁନ୍ ୨୮ ତାରିଖରେ ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେଶେଲ୍ସର ସର୍ବୋଚ୍ଚ ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ପ୍ରଦାନ କରାଯାଇଥିଲା। ଏହାକୁ ନେଇ ଖ୍ୱାଜା ଆସିଫ୍ ପ୍ରଶ୍ନ ଉଠାଇଥିଲେ, ଯାହାର ପାଲଟା ଜବାବ ଭାରତ ଦେଇଛି। ପିଏମ ମୋଦୀ ଏହି ପୁରସ୍କାରକୁ ପରିବେଶ ସଂରକ୍ଷଣ ପାଇଁ ପ୍ରତିବଦ୍ଧ ସମସ୍ତ ଦେଶକୁ ଉତ୍ସର୍ଗ କରିଛନ୍ତି। ଭାରତ ଏବଂ ସେଶେଲ୍ସ ମଧ୍ୟରେ କୂଟନୀତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ସମ୍ମାନ ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିବ ବୋଲି ସେ କହିଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆନ୍ତର୍ଜାତୀୟ ସୌର ମେଣ୍ଟ (ISA), ମିଶନ ଲାଇଫ୍ (Mission LiFE), ‘ଏକ୍ ପେଡ୍ ମା’ କେ ନାମ’ ଏବଂ ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ମେଣ୍ଟ ଭଳି ପରିବେଶ ଅନୁକୂଳ ପଦକ୍ଷେପ ପାଇଁ ଏହି ପୁରସ୍କାର ମିଳିଛି।
ପରିବେଶ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ପିଏମ ମୋଦୀଙ୍କୁ ମିଳିଥିବା ପ୍ରମୁଖ ବିଶ୍ୱସ୍ତରୀୟ ପୁରସ୍କାରଗୁଡ଼ିକ ହେଲା;
ଅଗ୍ରିକୋଲା ମେଡାଲ (୨୦୨୬): ଖାଦ୍ୟ ଏବଂ କୃଷି ସଂଗଠନ (FAO) ଦ୍ୱାରା ରୋମ୍ଠାରେ ପ୍ରଦାନ କରାଯାଇଥିଲା।
ସେଓଲ ଶାନ୍ତି ପୁରସ୍କାର (୨୦୧୮): ସ୍ଥାୟୀ ଅର୍ଥନୈତିକ ବିକାଶ ଏବଂ ଆନ୍ତର୍ଜାତୀୟ ସହଯୋଗ ପାଇଁ।
ଚାମ୍ପିଅନ୍ସ ଅଫ୍ ଦି ଆର୍ଥ ଆୱାର୍ଡ (୨୦୧୮): ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଦ୍ୱାରା ନୂଆଦିଲ୍ଲୀଠାରେ ପ୍ରଦାନ କରାଯାଇଥିଲା।




