ଭେନେଜୁଏଲାରେ ପ୍ରଳୟଙ୍କରୀ ଯାଆଁଳା ଭୂକମ୍ପ (Twin Earthquakes) ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ସରକାରୀ ସୂଚନା ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୩,୩୪୨ କୁ ବୃଦ୍ଧି ପାଇଥିବା ବେଳେ ୧୬,୭୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ଜୁନ୍ ୨୪ ତାରିଖରେ ଦେଶରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।

ଏହାପରେ ପ୍ରାୟ ୯୯୫ ରୁ ଅଧିକ ଅନୁଭୂତ ଝଟକା ରେକର୍ଡ କରାଯାଇଛି, ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।ନ୍ୟାସନାଲ ଆସେମ୍ବଲି ସଭାପତି ଜର୍ଜ ରୋଡ୍ରିଗ୍ବେଜ୍‌ଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୬,୪୬୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭୂକମ୍ପ ଯୋଗୁଁ ୧୭,୩୪୫ ରୁ ଅଧିକ ଲୋକ ବାସହରା ହୋଇପଡ଼ିଛନ୍ତି।

ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ୮୦ଟି ଅସ୍ଥାୟୀ ଶିବିର ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୯,୫୬୭ ଜଣ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି, ଯେଉଁଥିରେ ବିଦେଶରୁ ଆସିଥିବା ୩,୨୮୧ ଜଣ ବିଶେଷଜ୍ଞ ମଧ୍ୟ ସାମିଲ ଅଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଦେଲସି ରୋଡ୍ରିଗ୍ବେଜ୍ ଦେଶରେ ୭ ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି।

ଏହି ସଙ୍କଟ ସମୟରେ ଭାରତ ସରକାର ଭେନେଜୁଏଲା ଆଡ଼କୁ ସହଯୋଗର ହାତ ବଢ଼ାଇଛନ୍ତି। ଭାରତ ପକ୍ଷରୁ ଚାଲିଥିବା ‘ଅପରେସନ୍ ଅମିସ୍ତାଦ୍’ (Operation Amistad) ଅନ୍ତର୍ଗତ ଭାରତୀୟ ସେନାର ମେଡିକାଲ ଟିମ୍ ସେଠାରେ ଦିନରାତି ପ୍ରଭାବିତ ଲୋକଙ୍କ ସେବା କରୁଛନ୍ତି। ଭାରତୀୟ ସେନାର ଫିଲ୍ଡ ହସ୍ପିଟାଲ୍‌ରେ ଆହତମାନଙ୍କୁ ଜରୁରୀକାଳୀନ ଚିକିତ୍ସା ଓ ସେବା ଯୋଗାଇ ଦିଆଯାଉଛି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (MEA) ଦ୍ୱାରା ଏକ୍ସ (X) ରେ ସେୟାର କରାଯାଇଥିବା ଭିଡିଓରେ ସ୍ଥାନୀୟ ନାଗରିକମାନେ ଭାରତୀୟ ମେଡିକାଲ ଟିମ୍‌କୁ ସେମାନଙ୍କର ଅକୁଣ୍ଠ ସେବା ପାଇଁ ହୃଦୟରୁ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଛି। ଜଣେ ମହିଳା, ଯାହାଙ୍କ ପୁଅ ଏହି ଫିଲ୍ଡ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି, ସେ କହିଛନ୍ତି ଯେ ବିପତ୍ତି ସମୟରେ ଭାରତୀୟ ଡାକ୍ତରମାନେ ଦେବଦୂତ ସାଜି ସେମାନଙ୍କୁ ସାହାଯ୍ୟ କରିଛନ୍ତି। ବିପର୍ଯ୍ୟୟର ଏହି କଠିନ ସମୟରେ ଭାରତର ଏହି ମାନବୀୟ ସହାୟତା ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱକୁ ଆହୁରି ଦୃଢ଼ କରିଛି।