ବାଲେଶ୍ୱର: ସମାଜରେ ଅନେକ ସମୟରେ ଟ୍ରକ୍ ଡ୍ରାଇଭରମାନଙ୍କୁ ନେଇ ନକାରାତ୍ମକ ମନୋଭାବ ରହିଥାଏ, କିନ୍ତୁ ବାଲେଶ୍ୱର ଜିଲ୍ଲାର ଜଣେ ଡ୍ରାଇଭର ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ନିଜର ସତର୍କତା ଓ ଦୟାଳୁ ମନୋଭାବ ଯୋଗୁଁ ସେ ଜଣେ ବିବାହିତ ମହିଳାଙ୍କୁ ଆତ୍ମହତ୍ୟା ମୁଖରୁ ବଞ୍ଚାଇବା ସହ ତାଙ୍କୁ ସୁରକ୍ଷିତ ଭାବେ ପରିବାର ସହ ମିଶାଇଛନ୍ତି। ସେହି ମହତ ବ୍ୟକ୍ତିଜଣକ ହେଉଛନ୍ତି ଜଳେଶ୍ୱର ବ୍ଲକ ଗୋବର୍ଦ୍ଧନପୁର ଅଞ୍ଚଳର ମୃତ୍ୟୁଞ୍ଜୟ କୁମାର ଘୋଷ (୫୧)।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁଞ୍ଜୟ ଚଣ୍ଡିଖୋଲରୁ ଚିପ୍ସ ବୋଝେଇ ଟ୍ରକ୍ ଧରି ଫେରୁଥିଲେ। ମଧ୍ୟରାତ୍ରି ପ୍ରାୟ ୧୨ଟା ସମୟରେ ବାଲେଶ୍ୱର ସହର ଉପକଣ୍ଠ ଫୁଲାଡ଼ି ନିକଟ ଜାତୀୟ ରାଜପଥରେ ଜଣେ ମହିଳା ହଠାତ୍ ତାଙ୍କ ଚଳନ୍ତା ଟ୍ରକ୍ ଆଗକୁ ଡେଇଁପଡ଼ିଥିଲେ। ମୃତ୍ୟୁଞ୍ଜୟ ତତ୍କ୍ଷଣାତ ବ୍ରେକ୍ ମାରି ଗାଡ଼ିଟିକୁ ଅଳ୍ପକେ ଅଟକାଇ ଦେଇଥିଲେ, ଯାହାଫଳରେ ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା।ଗାଡ଼ି ଅଟକାଇବା ପରେ ମୃତ୍ୟୁଞ୍ଜୟ ସେଠାରୁ ପଳାଇ ନଯାଇ ମହିଳାଙ୍କୁ ପଚରାଉଚରା କରିଥିଲେ।
ମହିଳାଜଣକ କାନ୍ଦି କାନ୍ଦି ନିଜ ଦୁଃଖ ଜଣାଇଥିଲେ ଯେ, ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ଏବଂ ସ୍ୱାମୀଙ୍କ ଦ୍ୱାରା ଦୀର୍ଘ ଦିନ ଧରି ଗୃହବନ୍ଦୀ ରହିବା ପରେ ସେ ସେଠାରୁ ଖସି ଆସିଛନ୍ତି। ନିରାଶ ହୋଇ ସେ ଜୀବନ ହାରିବାକୁ ଏହି ନିଷ୍ପତ୍ତି ନେଇଥିଲେ। ମୃତ୍ୟୁଞ୍ଜୟ ତାଙ୍କୁ ବୁଝାସୁଝା କରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିରୁ ନିବୃତ୍ତ କରିଥିଲେ ଏବଂ ନିଜ ଟ୍ରକରେ ବସାଇ ରାତି ପ୍ରାୟ ୩ଟାରେ ନିଜ ଘରକୁ ଆଣିଥିଲେ।
ଶନିବାର ପ୍ରବଳ ବର୍ଷା ଯୋଗୁଁ ସେ ମହିଳାଙ୍କୁ ନିଜ ଘରେ ସୁରକ୍ଷିତ ରଖିଥିଲେ। ରବିବାର ବର୍ଷା କମିବା ପରେ ସେ ମହିଳାଙ୍କ ମାଉସୀ ପୁଅ ଓ ବାପଘର ଲୋକଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ କାଉନସେଲିଂ କରିବା ସହ ମହିଳାଙ୍କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିଥିଲେ। ଏହି ଖବର ପାଇବା ପରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ତଥା ସମାଜସେବୀ ସୁଜାତା ନାୟକ ସଦର ଥାନା ପୋଲିସ ସହ ଆଲୋଚନା କରିଛନ୍ତି। ପୋଲିସ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ଥାନାକୁ ଡକାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁଞ୍ଜୟଙ୍କ ଏହି ମହାନତା ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଉଛି।




