ନୂଆଦିଲ୍ଲୀ/ଗାନ୍ଧୀନଗର: ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁଁ କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ (MHA) ପକ୍ଷରୁ ଗୁଜରାଟ ସମେତ ଅନ୍ୟାନ୍ୟ ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକୁ ପାଣିପାଗ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୋମବାର ସକାଳେ ଗୃହ ମନ୍ତ୍ରାଳୟର ଆପାତକାଳୀନ ନିୟନ୍ତ୍ରଣ କକ୍ଷ (ICR-ER) ପକ୍ଷରୁ ଏକ ଜରୁରୀକାଳୀନ ପରାମର୍ଶବଳୀ ଜାରି କରାଯାଇଛି।ଏହି ଅବପାତଟି ଗତ କିଛି ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ପ୍ରାୟ ୧୩ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ବାରିପଦାରୁ ପ୍ରାୟ ୮୦ କିଲୋମିଟର ପଶ୍ଚିମ-ଉତ୍ତରପଶ୍ଚିମ ଏବଂ କେନ୍ଦୁଝରରୁ ୭୦ କିଲୋମିଟର ଉତ୍ତର-ପୂର୍ବରେ କେନ୍ଦ୍ରୀଭୂତ ରହିଛି।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ପାଣିପାଗ ବ୍ୟବସ୍ଥା ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଗୁଜରାଟ ଅଞ୍ଚଳ, ସୌରାଷ୍ଟ୍ର ଏବଂ କଚ୍ଛରେ ଜୁଲାଇ ୬ ଏବଂ ୭ ତାରିଖରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି। ଏହାସହ ବଜ୍ରପାତ ଏବଂ ଘଣ୍ଟା ପ୍ରତି ୩୫ ରୁ ୪୫ କିଲୋମିଟର ବେଗରେ ପବନ ବହିବା ସହ ଏହାର ଗତି ୫୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ଗୁଜରାଟ ବ୍ୟତୀତ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ ଏବଂ ମଧ୍ୟ ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେହିପରି ଝାଡ଼ଖଣ୍ଡ, ବିହାର, ଗାଙ୍ଗେୟ ପଶ୍ଚିମବଙ୍ଗ, ମରାଠୱାଡା, ବିଦର୍ଭ ଏବଂ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି।
ଗୃହ ମନ୍ତ୍ରାଳୟ କହିଛି ଯେ ଏହି ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା, ସ୍ଥାନୀୟ ବନ୍ୟା, ଭୂସ୍ଖଳନ ଏବଂ ଗଛ ଉପୁଡ଼ିବା ଭଳି କ୍ଷୟକ୍ଷତି ଘଟିପାରେ। ସମସ୍ତ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସତର୍କ ରହିବାକୁ ଏବଂ ସମସ୍ତ ଆବଶ୍ୟକୀୟ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।




