ଭୁବନେଶ୍ୱର: ରାଜ୍ୟର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ନୂଆ ନିୟମ ଅନୁଯାୟୀ, ସମସ୍ତ ସରକାରୀ ଏବଂ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷକୁ ୪ଟି ବାଧ୍ୟତାମୂଳକ ପରୀକ୍ଷା କରାଯିବ। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସସିଇଆରଟି (SCERT) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଏହି ନୂତନ ମୂଲ୍ୟାୟନ ବ୍ୟବସ୍ଥା ଲାଗୁ ହେବ।

ଏଣିକି ସମ୍ପୂର୍ଣ୍ଣ ଶିକ୍ଷା ବର୍ଷକୁ ଦୁଇଟି ଟର୍ମ ବା ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ଟର୍ମ ଏପ୍ରିଲରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ଟର୍ମ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଦୁଇଟି ଫର୍ମେଟିଭ୍ ଆସେସମେଣ୍ଟ (FA1 ଏବଂ FA2) ଏବଂ ଦୁଇଟି ସମେଟିଭ୍ ଆସେସମେଣ୍ଟ (SA1 ଏବଂ SA2) ପରୀକ୍ଷା ଦେବେ।

ପ୍ରତ୍ୟେକ ଫର୍ମେଟିଭ୍ ପରୀକ୍ଷା ବିଷୟ ପ୍ରତି ୨୫ ମାର୍କର ହେବ ଏବଂ ସମେଟିଭ୍ ବା ସାମଗ୍ରିକ ପରୀକ୍ଷା ବିଷୟ ପ୍ରତି ୫୦ ମାର୍କର ରହିବ। ଏହି ବ୍ୟବସ୍ଥା ଦ୍ୱାରା ପିଲାମାନଙ୍କର କ୍ରମାଗତ ଅଗ୍ରଗତି ଉପରେ ନଜର ରଖାଯାଇପାରିବ।ଅନ୍ୟପଟେ, ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର କୋମଳମତି ଶିଶୁମାନଙ୍କ ପାଇଁ କୌଣସି ଆନୁଷ୍ଠାନିକ ଲିଖିତ ପରୀକ୍ଷା କରାଯିବ ନାହିଁ। ଏହି ଶ୍ରେଣୀର ପିଲାମାନଙ୍କ ପାଇଁ ଲିଖିତ ପରୀକ୍ଷାକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରାଯାଇଛି।

ଏହା ବଦଳରେ ଶିକ୍ଷକମାନେ ଦୈନନ୍ଦିନ ଶ୍ରେଣୀ ଗୃହ କାର୍ଯ୍ୟକଳାପ ଏବଂ ପିଲାଙ୍କ ଭାଗିଦାରୀକୁ ଦେଖି ସେମାନଙ୍କର ମୂଲ୍ୟାୟନ କରିବେ। ପିଲାଙ୍କ ମାସିକ ଅଗ୍ରଗତିର ରେକର୍ଡ ରଖିବା ପାଇଁ ବିଦ୍ୟାଳୟଗୁଡ଼ିକରେ ଏକ ସ୍ୱତନ୍ତ୍ର ‘ଲର୍ଣ୍ଣିଂ ଲାଡର୍ ରେଜିଷ୍ଟର’ ବ୍ୟବହାର କରାଯିବ। ଏହି ପଦକ୍ଷେପ ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ ଏବଂ ପିଲାଙ୍କ ପାଇଁ ଚାପମୁକ୍ତ କରିବ ବୋଲି ଆଶା କରାଯାଉଛି।