ଭୁବନେଶ୍ୱର: ଓଡ଼ିଶାରେ ନିକଟରେ ପ୍ରକାଶ ପାଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ଚିଠା ଭୋଟର ତାଲିକାରୁ ବ୍ୟାପକ ସଂଖ୍ୟାରେ ଭୋଟର ବାଦ୍ ପଡ଼ିବାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ଏହି ପ୍ରକ୍ରିୟାରେ ଅନେକ ଅନିୟମିତତା ହୋଇଥିବା ଏବଂ ଏହା ଭୋଟରଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ଦଳ ଅଭିଯୋଗ କରିଛି।
ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଏସଆଇଆର (SIR) ପ୍ରକ୍ରିୟା ଆରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ଭୋଟର ତାଲିକା ଏବଂ ବର୍ତ୍ତମାନ ପ୍ରକାଶିତ ଚିଠା ତାଲିକା ମଧ୍ୟରେ ବଡ଼ ଧରଣର ଅସଙ୍ଗତି ରହିଛି।
୨୦୨୫ର ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩,୪୦,୭୨,୭୪୪ ଥିଲା। ମେ’ ୧୫ ତାରିଖରେ ହୋଇଥିବା ବୈଠକରେ ଏହି ସଂଖ୍ୟା ପ୍ରାୟ ୩.୩୪ କୋଟି ବୋଲି କୁହାଯାଇଥିବା ବେଳେ ଜୁନ୍ ୧୨ରେ ଏହାକୁ ୩,୩୩,୯୯,୫୯” ବୋଲି ଦର୍ଶାଯାଇଥିଲା। ମାତ୍ର ରବିବାର ପ୍ରକାଶିତ ଚିଠା ତାଲିକାରେ ଏହି ସଂଖ୍ୟା ହ୍ରାସ ପାଇ ମାତ୍ର ୩,୧୩,୮୭,୦୩୪ରେ ପହଞ୍ଚିଛି।
ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କମିଶନ ୨୦.୧୪ ଲକ୍ଷ ଭୋଟର ବାଦ୍ ପଡ଼ିଥିବା କହୁଥିବା ବେଳେ ପ୍ରକୃତରେ ପ୍ରାୟ ୨୭ ଲକ୍ଷ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଜଟିଳ SIR ପ୍ରକ୍ରିୟା ଏବଂ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନଙ୍କର ଅପାରଗତା ଯୋଗୁଁ ଅନେକ ସ୍ଥାୟୀ ବାସିନ୍ଦା ଏଥିରୁ ବଞ୍ଚିତ ହୋଇଛନ୍ତି।
ଏହାସହ ପ୍ରାୟ ୭ ଲକ୍ଷରୁ ଅଧିକ ଭୋଟରଙ୍କ ସମ୍ପର୍କିତ ତଥ୍ୟ ସିଇଓ ସାର୍ବଜନୀନ କରିନାହାନ୍ତି।ବିଜେଡି ପକ୍ଷରୁ ଏହି ଜଟିଳ ପ୍ରକ୍ରିୟାର ସରଳୀକରଣ, ତ୍ରୁଟି ନିବାରଣ ଏବଂ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ପୁନଃ ସାମିଲ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି।




